ଚେନ୍ନାଇ: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ ସସପେନ୍ସ ଆହୁରି ଗଭୀର ହୋଇଛି। ‘ତାମିଲଗା ଭେଟ୍ରି କାଝାଗମ୍‌’ (ଟିଭିକେ) ମୁଖ୍ୟ ବିଜୟ ଦ୍ୱିତୀୟ ଦିନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। କିନ୍ତୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ପ୍ରମାଣ ନଥିବାରୁ ରାଜ୍ୟପାଳ ତାଙ୍କ ଦାବିକୁ ଗ୍ରହଣ କରିନାହାଁନ୍ତି।

ରାଜଭବନ ପକ୍ଷରୁ ବିଜୟଙ୍କୁ ୧୧୮ ଜଣ ବିଧାୟକଙ୍କ ସ୍ୱାକ୍ଷରିତ ସମର୍ଥନ ପତ୍ର ନେଇ ଆସିବାକୁ କୁହାଯାଇଛି। ସଂଖ୍ୟାଗରିଷ୍ଠତା ସ୍ପଷ୍ଟ ହେବା ପରେ ହିଁ ନୂତନ ସରକାର ଗଠନ ଓ ଶପଥ ଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି। ସରକାର ଗଠନ ପରେ ସ୍ଥିରତା ବଜାୟ ରହିବାକୁ ନଜରରେ ରଖି ଲିଖିତ ସମର୍ଥନକୁ ଗୁରୁତ୍ୱ ଦିଆଯାଇଛି।

ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ମେ’ ୯ ତାରିଖରେ ଶେଷ ହେବାକୁ ଥିବାରୁ ରାଜନୈତିକ ଚଞ୍ଚଳତା ବଢ଼ିଛି। ରାଜ୍ୟପାଳଙ୍କ ପାଖରେ ନିଷ୍ପତ୍ତି ନେବାକୁ ଅତ୍ୟନ୍ତ ସୀମିତ ସମୟ ରହିଛି।

ବିଜୟ ପୂର୍ବରୁ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ। ସେ କହିଥିଲେ ଯେ, କଂଗ୍ରେସର ୫ ଜଣ ବିଧାୟକ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ତଥାପି ଆବଶ୍ୟକ ମ୍ୟାଜିକ୍‌ ନମ୍ବର ପୂରଣ ହୋଇନଥିବାରୁ ରାଜ୍ୟପାଳ ଏହାକୁ ଅପର୍ଯ୍ୟାପ୍ତ ବୋଲି କହିଛନ୍ତି।

ଚଳିତ ନିର୍ବାଚନରେ ବିଜୟଙ୍କ ଟିଭିକେ ଦଳ ତାମିଲନାଡୁର ପାରମ୍ପରିକ ଡିଏମକେ-ଏଆଇଏଡିଏମକେ ରାଜନୀତିକୁ ବଡ଼ ଚ୍ୟାଲେଞ୍ଜ ଦେଇ ଚର୍ଚ୍ଚାରେ ଆସିଛି। ବିଜୟ ନିଜେ ଦୁଇଟି ଆସନରୁ ବିଜୟୀ ହୋଇଥିଲେ ମଧ୍ୟ ଗୋଟିଏ ଆସନ ଛାଡ଼ିବା ପରେ ତାଙ୍କ ଦଳର ସଂଖ୍ୟା ୧୦୭କୁ ଖସିବ। କଂଗ୍ରେସର ସମର୍ଥନ ସହ ମୋଟ ସଂଖ୍ୟା ୧୧୨ ହେଉଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଏହା ୫ କମ୍‌ ଅଟେ।

ସମ୍ବିଧାନର ଧାରା ୧୬୪(୧) ଅନୁଯାୟୀ ରାଜ୍ୟପାଳଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ଅଧିକାର ଥିବାରୁ, ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ସମଗ୍ର ରାଜ୍ୟର ନଜର ରହିଛି। ଏପର୍ଯ୍ୟନ୍ତ ଏଆଇଏଡିଏମକେ ନେତା ଇପିଏସ୍‌ ମଧ୍ୟ ସରକାର ଗଠନ ପାଇଁ କୌଣସି ଦାବି ଜଣାଇନାହାଁନ୍ତି।