ପାଟନା: ବିହାରରେ ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ସମ୍ରାଟ ଚୌଧାରୀଙ୍କ ମନ୍ତ୍ରିମଣ୍ଡଳର ଗୁରୁବାର ବ୍ୟାପକ ସମ୍ପ୍ରସାରଣ କରାଯାଇଛି। ଏହି ସମ୍ପ୍ରସାରଣରେ ୩୨ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିବାବେଳେ, ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି। ସମ୍ରାଟ ଚୌଧାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧାରୀ ଓ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମିଶାଇ ଏହି ନୂତନ ମନ୍ତ୍ରିମଣ୍ଡଳ ଗଠିତ ହୋଇଛି।

ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଜେଡିୟୁ, ବିଜେପି, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ବିଧାୟକମାନେ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥିଲେ।

ଏହି କ୍ୟାବିନେଟ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ବିଜେପିର ବରିଷ୍ଠ ନେତା ମଙ୍ଗଳ ପାଣ୍ଡେ, ସୁରେନ୍ଦ୍ର ମେହେଟା ଓ ନାରାୟଣ ପ୍ରସାଦଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ।

ଦଳୀୟ ସମୀକରଣ ସହ ଜାତିୟ ସନ୍ତୁଳନକୁ ମଧ୍ୟ ଏହି କ୍ୟାବିନେଟ୍‌ରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଓବିସି, ଇବିସି, ସବର୍ଣ୍ଣ, ଦଳିତ ଓ ମହାଦଳିତ ବର୍ଗମାନଙ୍କୁ ସମାନ ଭାବେ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରାଯାଇଛି। ରାଜପୁତ ସମ୍ପ୍ରଦାୟରୁ ସର୍ବାଧିକ ୪ ଜଣ ମନ୍ତ୍ରୀ ହୋଇଥିବାବେଳେ କୋଇରି ଓ ଭୂମିହାର ସମ୍ପ୍ରଦାୟରୁ ୩ ଜଣ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି।

ଏହାଛଡ଼ା ଯାଦବ, ବ୍ରାହ୍ମଣ, କୁର୍ମି, ଧାନୁକ, ନିଷାଦ, ଦୁସାଧ, ମୁସହର ଓ ରବିଦାସ ସମ୍ପ୍ରଦାୟରୁ ଦୁଇଜଣ ଲେଖାଏଁ ମନ୍ତ୍ରୀ ହୋଇଥିବାବେଳେ କାନୁ, କଲବାର, କହାର, ପାସି, ତେଲି, ଗଙ୍ଗୋତା ଓ ମୁସଲମାନ ସମ୍ପ୍ରଦାୟରୁ ଜଣେ ଲେଖାଏଁ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ନୂତନ କ୍ୟାବିନେଟ୍‌ ମାଧ୍ୟମରେ ଆଗାମୀ ରାଜନୈତିକ ସମୀକରଣକୁ ମଜବୁତ କରିବାକୁ ଏନଡିଏ ଶିବିର ଚେଷ୍ଟା କରିଥିବା ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।