ଏବୋଲା ପ୍ରାଦୁର୍ଭାବ: କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଦାନ ଯାତ୍ରା ନକରିବାକୁ କେନ୍ଦ୍ର ସରକାରଙ୍କ ସତର୍କତା ସୂଚନାନୂଆଦିଲ୍ଲୀ: କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନରେ ଏବୋଲା ରୋଗର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା କିମ୍ବା ଯାତ୍ରା କରୁଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ରବିବାର ଦିନ ଭାରତ ସରକାର ପରାମର୍ଶ ଦେଇଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସ୍ଥିତିକୁ ‘ଆନ୍ତର୍ଜାତୀୟ ଚିନ୍ତାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି’ (PHEIC) ଭାବେ ଘୋଷଣା କରିଛି।”ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଦି କଙ୍ଗୋ ଏବଂ ଅନ୍ୟାନ୍ୟ ପ୍ରଭାବିତ ଦେଶଗୁଡ଼ିକର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ WHO ର ସୁପାରିଶ ଅନୁଯାୟୀ, ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ସମସ୍ତ ଭାରତୀୟ ନାଗରିକଙ୍କୁ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଦି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଜରୁରୀ ନଥିବା ଯାତ୍ରା ନ କରିବାକୁ ଭାରତ ସରକାର ପରାମର୍ଶ ଦେଉଛନ୍ତି,” ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସତର୍କତା ସୂଚନା ରେ କହିଛି।
ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ‘ବୁଣ୍ଡିବୁଗ୍ୟୋ’ ଭାଇରସ୍ ଷ୍ଟ୍ରେନ୍ ଦ୍ୱାରା ବ୍ୟାପୁଥିବା ଏବୋଲା ରୋଗର କୌଣସି ମାମଲା ଏପର୍ଯ୍ୟନ୍ତ ଭାରତରେ ଚିହ୍ନଟ ହୋଇନାହିଁ। ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (Africa CDC) ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଦି କଙ୍ଗୋ ଏବଂ ଉଗାଣ୍ଡାକୁ ପ୍ରଭାବିତ କରୁଥିବା ଏହି ବୁଣ୍ଡିବୁଗ୍ୟୋ ଷ୍ଟ୍ରେନ୍ ଏବୋଲା ରୋଗର ପ୍ରାଦୁର୍ଭାବକୁ ‘ମହାଦେଶୀୟ ସୁରକ୍ଷାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି’ ଭାବେ ଘୋଷଣା କରିଛି।
ଏହାବ୍ୟତୀତ, ମେ ୨୨ ରେ WHO ର ଆଇଏଚ୍ଆର୍ (IHR) ଜରୁରୀକାଳୀନ କମିଟି ଦେଶକୁ ପ୍ରବେଶ କରିବା ସ୍ଥାନଗୁଡ଼ିକରେ (Points of Entry) ରୋଗର ନୀରିକ୍ଷଣକୁ ଜୋରଦାର କରିବା ପାଇଁ ଅସ୍ଥାୟୀ ସୁପାରିଶ ଜାରି କରିଛି। ଯାହାଫଳରେ ବୁଣ୍ଡିବୁଗ୍ୟୋ ଭାଇରସ୍ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଆସୁଥିବା ଏବଂ ଅସ୍ପଷ୍ଟ ଜ୍ୱର ଜନିତ ଅସୁସ୍ଥତା ଥିବା ଯାତ୍ରୀମାନଙ୍କୁ ଚିହ୍ନଟ, ମୂଲ୍ୟାଙ୍କନ, ରିପୋର୍ଟ ଏବଂ ପରିଚାଳନା କରାଯାଇପାରିବ। ଏଥିସହ ସଂକ୍ରମିତ ଅଞ୍ଚଳଗୁଡ଼ିକୁ ଯାତ୍ରା ନକରିବା ପାଇଁ ମଧ୍ୟ ନିରୁତ୍ସାହିତ କରାଯାଇଛି।
ବିବୃତି ଅନୁଯାୟୀ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଦି କଙ୍ଗୋ ଏବଂ ଉଗାଣ୍ଡାର ସୀମାବର୍ତ୍ତୀ ଦେଶଗୁଡ଼ିକ (ଦକ୍ଷିଣ ସୁଦାନ ସମେତ) ଏହି ରୋଗ ସଂକ୍ରମଣର ସର୍ବାଧିକ ବିପଦରେ ରହିଛନ୍ତି।
ଏବୋଲା ରୋଗ ହେଉଛି ଏକ ଭାଇରାଲ୍ ହେମୋରେଜିକ୍ ଜ୍ୱର, ଯାହା ଏବୋଲା ଭାଇରସର ‘ବୁଣ୍ଡିବୁଗ୍ୟୋ’ ଭାଇରସ୍ ଷ୍ଟ୍ରେନ୍ ସଂକ୍ରମଣ ଯୋଗୁଁ ହୋଇଥାଏ।ଏହା ଏକ ଅତ୍ୟନ୍ତ ଗମ୍ଭୀର ରୋଗ ଏବଂ ଏଥିରେ ମୃତ୍ୟୁ ହାର ବହୁତ ଅଧିକ। ବର୍ତ୍ତମାନ ସୁଦ୍ଧା, ବୁଣ୍ଡିବୁଗ୍ୟୋ ଭାଇରସ୍ ଷ୍ଟ୍ରେନ୍ ଦ୍ୱାରା ହେଉଥିବା ଏବୋଲା ରୋଗର ପ୍ରତିରୋଧ କିମ୍ବା ଚିକିତ୍ସା ପାଇଁ କୌଣସି ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତିକୁ ମଞ୍ଜୁରୀ ମିଳିନାହିଁ।




