କୁରୁକ୍ଷେତ୍ର: ହରିୟାଣାର କୁରୁକ୍ଷେତ୍ରରେ ଏକ ଅତ୍ୟନ୍ତ ନୃଶଂସ ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପେହୋୱା ରୋଡ୍‌ ନିକଟସ୍ଥ ଏକ ଭଡ଼ାଘରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ପେଟ କାଟି ଅନ୍ତବୁଜୁଳି ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଘରମାଲିକ ଏହା ଦେଖିଦେବାରୁ ଭୟରେ ଅଭିଯୁକ୍ତା ସ୍ତ୍ରୀ ଛାତରୁ ଡେଇଁ ପଡ଼ିଥିଲେ।

ମୃତକଙ୍କ ନାମ ରାଜେଶ ଏବଂ ଅଭିଯୁକ୍ତା ସ୍ତ୍ରୀଙ୍କ ନାମ ବିମଳା ଦେବୀ। ରାଜେଶ ମୂଳତଃ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ହୋଇଥିବା ବେଳେ ଗୋଟିଏ ବର୍ଷ ହେବ କୁରୁକ୍ଷେତ୍ରରେ ଏକ ପାଣି ଯୋଗାଣ କମ୍ପାନୀରେ କାମ କରୁଥିଲେ।

ଘରମାଲିକ ରିଙ୍କୁଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପାଟିଶବ୍ଦ ଶୁଣି ଘରମାଲିକ ଛାତ ଆଡ଼କୁ ଯିବାବେଳେ ରାଜେଶ ରକ୍ତସ୍ରାବ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରେ ବିମଳା ରାଜେଶଙ୍କ ପେଟରୁ ବାହାରିଥିବା ଅନ୍ତବୁଜୁଳିକୁ ଏକ ବ୍ୟାଗ୍‌ରେ ରଖୁଥିଲେ। ଘରମାଲିକଙ୍କୁ ଦେଖିବା ମାତ୍ରେ ସେ ଭୟଭୀତ ହୋଇ ଛାତରୁ ଡେଇଁ ପଡ଼ିଥିଲେ। ଛାତରୁ ଡେଇଁ ଗୁରୁତର ଆହାତ ହୋଇଥିବା ବିମଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ପାଇ ପୁଲିସ ଓ ଫୋରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୩ଟି ଭିନ୍ନ ଆକାରର ଧାରୁଆ ଛୁରୀ ଜବତ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ରାଜେଶଙ୍କ ପେଟକୁ ପ୍ରାୟ ୩୫ ସେଣ୍ଟିମିଟର ପର୍ଯ୍ୟନ୍ତ କଟାଯାଇଥିଲା। ଏହାସହ ତାଙ୍କ ଶରୀରରୁ କିଡ୍‌ନୀ ଓ ଲିଭରର କିଛି ଅଂଶ ନିଖୋଜ ଥିବା ଜଣାପଡ଼ିଛି।

ଘରମାଲିକଙ୍କ ଦାବି ଅନୁଯାୟୀ ବିମଳା ଗୁଣିଗାରେଡ଼ି ଓ ଝାଡ଼ଫୁଙ୍କା କାମରେ ଲିପ୍ତ ଥିଲେ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୁଲିସ ଅଭିଯୁକ୍ତା ସ୍ତ୍ରୀଙ୍କ ବୟାନକୁ ଅପେକ୍ଷା କରିବା ସହ ଘଟଣାର ଗ୍ରାଉଣ୍ଡ ତଦନ୍ତ ଜାରି ରଖିଛି।