କୋଲକାତା: ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କୃଷ୍ଣନଗର କୋର୍ଟ ଜାରି କରିଥିବା ଗିରଫ ପରୱାନା ଉପରେ ସୋମବାର କଲିକତା ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି। ଘୃଣା ଭାଷଣ ମାମଲାରେ ବାରମ୍ବାର କୋର୍ଟରେ ହାଜର ନ ହେବାରୁ କୃଷ୍ଣନଗର କୋର୍ଟ ମୈତ୍ରଙ୍କ ବିରୋଧରେ ଏହି ପରୱାନା ଜାରି କରିଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ମହୁଆ ମୈତ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଦେବାଂଶୁ ବସାକ ଓ ଜଷ୍ଟିସ୍‌ ଆର୍ଯ୍ୟକ ଦତ୍ତଙ୍କ ଡିଭିଜନ୍‌ ବେଞ୍ଚ୍‌ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ କରିବେ। ସେପର୍ଯ୍ୟନ୍ତ ମୈତ୍ରଙ୍କ ବିରୋଧରେ ଜାରି ଗିରଫ ପରୱାନା ଉପରେ ରହିତାଦେଶ ବଳବତ୍ତର ରହିବ।

ମହୁଆ ମୈତ୍ରଙ୍କ ବିରୋଧରେ ମହିଳାଙ୍କୁ ଅପମାନିତ କରିବା ଏବଂ ଘୃଣା ଭାଷଣ ଦେବା ଭଳି ଅଭିଯୋଗ ରହିଛି। ତେବେ ତାଙ୍କ ଆଇନଜୀବୀ ଅର୍କୋ କୁମାର ହାଇକୋର୍ଟରେ ଯୁକ୍ତି ରଖିଛନ୍ତି ଯେ, ମୈତ୍ର ସାଂସଦ ଥିବା ସମୟରେ ଏହି ଅଭିଯୋଗ ହୋଇଥିବାରୁ ମାମଲାର ଶୁଣାଣି ସଲ୍ଟ ଲେକ୍‌ସ୍ଥିତ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ କରାଯିବା ଉଚିତ।

ମୈତ୍ରଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ବୋଲି ମଧ୍ୟ ତାଙ୍କ ଆଇନଜୀବୀ ଦାବି କରିଛନ୍ତି।