ରାଇରଙ୍ଗପୁର: ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ସହ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଛି। ଏନେଇ ଅଲ୍ ଇଣ୍ଡିଆ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦଫା ଦାବିପତ୍ର ଦିଆଯାଇଛି।
କମିଟିର ପ୍ରତିନିଧି ସୀତାରାମ ଚାଲ୍ଲା କହିଛନ୍ତି ଯେ ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଓ ରାଜ୍ୟରେ ଦ୍ୱିତୀୟ ରାଜଭାଷାର ମର୍ଯ୍ୟାଦା ଦେବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଏଥିପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ ବୋଲି ସେ କହିଛନ୍ତି।
ହୋ ଭାଷା ଆଦିବାସୀ ସମୁଦାୟର ଭାଷା ଓ ସାଂସ୍କୃତିକ ପରିଚୟ ସହ ଜଡ଼ିତ। ଏହାକୁ ସାମ୍ବିଧାନିକ ମାନ୍ୟତା ମିଳିଲେ ଭାଷାର ସଂରକ୍ଷଣ, ସାହିତ୍ୟର ବିକାଶ ଓ ଆଗାମୀ ପିଢ଼ି ମଧ୍ୟରେ ଏହାର ପ୍ରସାରକୁ ଅଧିକ ସୁଯୋଗ ମିଳିପାରିବ ବୋଲି ଭାଷା ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ କମିଟିର ଅନେକ ସଦସ୍ୟ ଉପସ୍ଥିତ ଥିଲେ।




