ନୂଆଦିଲ୍ଲୀ: ଭାରତର ପ୍ରସ୍ତାବିତ ସାମରିକ କମାଣ୍ଡ ପୁନର୍ଗଠନ ବା ‘ଥିଏଟରାଇଜେସନ୍‌’ ଦେଶର ନିଜସ୍ୱ ସୁରକ୍ଷା ଆବଶ୍ୟକତା ଓ ରଣନୈତିକ ପରିସ୍ଥିତିକୁ ଆଧାର କରି ହେବା ଉଚିତ। ବିଦେଶୀ ମଡେଲ୍‌କୁ ଅନ୍ଧ ଭାବେ ଅନୁସରଣ କରିବା ପରିବର୍ତ୍ତେ ଭାରତର ଭୌଗୋଳିକ ଅବସ୍ଥିତି ଓ ସାମରିକ ଆହ୍ୱାନକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଗଠନ କରାଯିବା ଦରକାର ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏପି ସିଂହ କହିଛନ୍ତି।

ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, ଥିଏଟରାଇଜେସନ୍‌ ନାମରେ ଭାରତୀୟ ବାୟୁସେନାର ଯୁଦ୍ଧବିମାନଗୁଡ଼ିକୁ ଭୌଗୋଳିକ ଅଞ୍ଚଳ ଅନୁଯାୟୀ ସ୍ଥାୟୀ ଭାବେ ବାଣ୍ଟିଦେବା ଉଚିତ ନୁହେଁ। ଆବଶ୍ୟକ ସମୟରେ ଯେଉଁ ଅଞ୍ଚଳରେ ବାୟୁସେନାର ଶକ୍ତି ଅଧିକ ଦରକାର, ସେଠାକୁ ଯୁଦ୍ଧବିମାନ ଓ ଅନ୍ୟ ସାମରିକ ସମ୍ବଳକୁ ତ୍ୱରିତ ପଠାଇବାର ସୁଯୋଗ ରହିବା ଆବଶ୍ୟକ।

କ’ଣ ଏହି ଥିଏଟରାଇଜେସନ୍‌?

ଥିଏଟରାଇଜେସନ୍‌ ହେଉଛି ସ୍ଥଳସେନା, ନୌସେନା ଓ ବାୟୁସେନାର ସମ୍ବଳ ଏବଂ କାର୍ଯ୍ୟକୁ ଏକୀକୃତ କମାଣ୍ଡ ଅଧୀନରେ ଆଣିବାର ଯୋଜନା। ଏହାଦ୍ୱାରା ଯୁଦ୍ଧ କିମ୍ବା ସାମରିକ ଅଭିଯାନ ସମୟରେ ତିନି ସେନା ମଧ୍ୟରେ ସମନ୍ୱୟ ବଢ଼ିବା ସହ ଉପଲବ୍ଧ ସମ୍ବଳର ଅଧିକ ଦକ୍ଷତାର ସହ ବ୍ୟବହାର ହୋଇପାରିବ।

୨୦୧୯ରେ ଘୋଷିତ ଏହି ସଂସ୍କାର ଯୋଜନାରେ ତିନୋଟି ଏକୀକୃତ କମାଣ୍ଡ ଗଠନର ପ୍ରସ୍ତାବ ରହିଛି। ଚୀନ୍‌ ସମ୍ବନ୍ଧୀୟ ସୁରକ୍ଷା ଆହ୍ୱାନ ପାଇଁ ଲକ୍ଷ୍ନୌରେ ଉତ୍ତର ଥିଏଟର କମାଣ୍ଡ, ପାକିସ୍ତାନ ସମ୍ବନ୍ଧୀୟ ଆହ୍ୱାନ ପାଇଁ ଜୟପୁରରେ ପଶ୍ଚିମ ଥିଏଟର କମାଣ୍ଡ ଏବଂ ସାମୁଦ୍ରିକ ସୁରକ୍ଷା ପାଇଁ ତିରୁଅନନ୍ତପୁରମ୍‌ରେ ସାମୁଦ୍ରିକ ଥିଏଟର କମାଣ୍ଡ ଗଠନ କରିବାର ପରିକଳ୍ପନା କରାଯାଇଛି। ତେବେ କମାଣ୍ଡର ଗଠନ ଓ ସମ୍ବଳ ବଣ୍ଟନକୁ ନେଇ ତିନି ସେନା ମଧ୍ୟରେ ମତଭେଦ ଥିବାରୁ ଏହି ଯୋଜନାର ଅଗ୍ରଗତି ମନ୍ଥର ହୋଇଛି।

ଅପରେସନ୍‌ ସିନ୍ଦୂରର ଉଦାହରଣ ଦେଲେ ବାୟୁସେନା ମୁଖ୍ୟ

ଏପି ସିଂହ କହିଛନ୍ତି, ବାୟୁସେନାର ପ୍ରମୁଖ ଶକ୍ତି ହେଉଛି ଏହାର ଗତି, ଦୂରଗାମୀ କ୍ଷମତା ଓ ଆବଶ୍ୟକତା ଅନୁଯାୟୀ ଶୀଘ୍ର ମୁତୟନ ହେବାର ସାମର୍ଥ୍ୟ। ଆକାଶରେ ଇନ୍ଧନ ଭରିବା ବ୍ୟବସ୍ଥା, ଦୂରଗାମୀ ଅସ୍ତ୍ର, ଆଧୁନିକ ସେନ୍‌ସର ଓ ଉପଯୁକ୍ତ ବିମାନଘାଟିର ସହାୟତାରେ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ବାୟୁସେନାର ଶକ୍ତିକୁ ବ୍ୟବହାର କରାଯାଇପାରିବ।

ଅପରେସନ୍‌ ସିନ୍ଦୂରର ଉଦାହରଣ ଦେଇ ସେ କହିଛନ୍ତି ଯେ, ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ମୁଖ୍ୟଙ୍କ ସମନ୍ୱିତ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ସାମରିକ ସମ୍ବଳର କେନ୍ଦ୍ରୀୟ ବଣ୍ଟନ ଏବଂ ଆବଶ୍ୟକତା ଅନୁଯାୟୀ ତାହାର ତ୍ୱରିତ ପୁନର୍ବିନ୍ୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

ଭବିଷ୍ୟତର ଯୁଦ୍ଧ କିପରି ହେବ, ତାହାକୁ ନେଇ ଅତ୍ୟଧିକ ନିଶ୍ଚିତ ଅନୁମାନ କରିବା ପରିବର୍ତ୍ତେ ବଦଳୁଥିବା ପରିସ୍ଥିତି ସହ ଖାପ ଖୁଆଇପାରୁଥିବା ସାମରିକ ବ୍ୟବସ୍ଥା ଗଢ଼ିବା ଦରକାର ବୋଲି ସେ ମତ ଦେଇଛନ୍ତି। ଏତେ ବଡ଼ ସାମରିକ ପରିବର୍ତ୍ତନକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ଉଚିତ, ଯାହାଦ୍ୱାରା ଦେଶର ଯୁଦ୍ଧ ପ୍ରସ୍ତୁତି କୌଣସି ପରିସ୍ଥିତିରେ ପ୍ରଭାବିତ ନହୁଏ।