କୁଚବିହାର/ମେଖଲିଗଞ୍ଜ: ପଶ୍ଚିମବଙ୍ଗର ମେଖଲିଗଞ୍ଜ ସୀମା ଅଞ୍ଚଳରେ ଭାରତ-ବାଂଲାଦେଶ ସୀମା ବାଡ଼ ନିର୍ମାଣକୁ ନେଇ ଉତ୍ତେଜନା ଦେଖାଦେଇଛି। ସୀମାରେ କାଣ୍ଟାବାଡ଼ ନିର୍ମାଣ ପାଇଁ ବିଏସଏଫ୍ ପକ୍ଷରୁ ଜମି ମାପ କାର୍ଯ୍ୟ ଚାଲିଥିବାବେଳେ ବାଂଲାଦେଶ ବର୍ଡର ଗାର୍ଡ (ବିଜିବି) ଏହାକୁ ବିରୋଧ କରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ବିଏସଏଫ୍ ଟିମ୍ ସୀମାରେ ମାପ କାର୍ଯ୍ୟ କରୁଥିବା ସମୟରେ ବିଜିବି ଯବାନମାନେ ସେଠାରେ ପହଞ୍ଚି କାମ ବନ୍ଦ କରିବାକୁ କହିଥିଲେ। ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା କୁହାଯାଉଛି।
ଘଟଣାସ୍ଥଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଠୋର କରାଯାଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକମାନେ ଅନୁପ୍ରବେଶ ଓ ଚୋରାଚାଲାଣ ରୋକିବା ପାଇଁ ସୀମାରେ ବାଡ଼ ନିର୍ମାଣକୁ ସମର୍ଥନ କରୁଥିବାବେଳେ ସୀମାଞ୍ଚଳରେ ପୂର୍ବରୁ ମଧ୍ୟ ଅନେକଥର ଉତ୍ତେଜନା ଦେଖାଦେଇଥିଲା। ଗତ କିଛି ମାସ ଧରି ସୀମା ଅଞ୍ଚଳରେ ଚୋରାଚାଲାଣ ଓ ଅନୁପ୍ରବେଶ ନେଇ ସୁରକ୍ଷା ଏଜେନ୍ସିମାନେ ସତର୍କ ରହିଛନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୀମା ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ଓ ଆଧୁନିକ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ ଉପରେ ଜୋର ଦେଇଛନ୍ତି। ସୀମାରେ ବାଡ଼ ନିର୍ମାଣ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି।




