ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ–ଜୁନ୍)ରେ ଭାରତରେ ସୁନାର ଚାହିଦା ପରିମାଣ ଦୃଷ୍ଟିରୁ ହ୍ରାସ ପାଇଥିଲେ ମଧ୍ୟ, ବଢ଼ିଥିବା ଦର ଯୋଗୁଁ ସୁନା କାରବାରର ମୋଟ ମୂଲ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶ୍ୱ ସୁନା ପରିଷଦ (World Gold Council-WGC) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ସମୟରେ ଦେଶରେ ୧୩୯.୭ ଟନ୍ ସୁନାର ଚାହିଦା ରହିଥିଲା, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୬ ପ୍ରତିଶତ କମ୍।
ତେବେ ଉଚ୍ଚ ସୁନା ଦରର ପ୍ରଭାବରେ ଏହି କାରବାରର ମୋଟ ମୂଲ୍ୟ ୧,୯୮,୧୦୦ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଏହା ୧,୩୨,୫୦୦ କୋଟି ଟଙ୍କା ଥିଲା।
ଅଳଙ୍କାର ଚାହିଦାରେ ୧୫% ହ୍ରାସ
ରିପୋର୍ଟ ଅନୁଯାୟୀ, ପ୍ରଥମ ତ୍ରୈମାସିକରେ ସୁନା ଅଳଙ୍କାରର ଚାହିଦା ୧୫ ପ୍ରତିଶତ ହ୍ରାସ ପାଇ ୭୫.୧ ଟନ୍ରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଏହା ୮୮.୮ ଟନ୍ ଥିଲା। ବିଶ୍ୱ ସୁନା ପରିଷଦର ବିଶ୍ଳେଷଣ ଅନୁଯାୟୀ, ଉଚ୍ଚ ସୁନା ଦର, ଭୂ-ରାଜନୈତିକ ଅନିଶ୍ଚିତତା, ସୁଧହାର ବୃଦ୍ଧି ଏବଂ କେତେକ ନୀତିଗତ କାରକ ଯୋଗୁଁ ଏହି ହ୍ରାସ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନା କ୍ରୟ ନେଇ ଦିଆଯାଇଥିବା ଆହ୍ୱାନ ମଧ୍ୟ ଚାହିଦା ଉପରେ ପ୍ରଭାବ ପକାଇଥାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ନିବେଶକଙ୍କ ଆଗ୍ରହ ଜାରି
ଅଳଙ୍କାର ଚାହିଦା କମିଥିଲେ ମଧ୍ୟ ସୁନାରେ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ଜାରି ରହିଛି। ଏହି ତିନି ମାସ ମଧ୍ୟରେ ଗ୍ରାହକମାନେ ୫୦.୩ ଟନ୍ ସୁନା ବାର୍ ଓ କଏନ୍ କିଣିଥିବାବେଳେ, ଗୋଲ୍ଡ ETFରେ ୪.୨ ଟନ୍ ସୁନା ମୂଲ୍ୟର ନିବେଶ ହୋଇଛି।
ସୁନା ଆମଦାନି ଓ ରିସାଇକ୍ଲିଂ ମଧ୍ୟ କମିଲା
ରିପୋର୍ଟ ଅନୁଯାୟୀ, ଏପ୍ରିଲ–ଜୁନ୍ ଅବଧିରେ ଭାରତ ୯୮.୧ ଟନ୍ ସୁନା ଆମଦାନି କରିଛି, ଯାହା ପୂର୍ବବର୍ଷ ତୁଳନାରେ ୨୩ ପ୍ରତିଶତ କମ୍। ସେହିପରି ସୁନା ରିସାଇକ୍ଲିଂ ୧୭ ପ୍ରତିଶତ ହ୍ରାସ ପାଇ ୧୯.୨ ଟନ୍ରେ ପହଞ୍ଚିଛି। ପୂର୍ବବର୍ଷ ଏହି ସମୟରେ ରିସାଇକ୍ଲିଂ ପରିମାଣ ୨୩.୧ ଟନ୍ ଥିଲା।
ବର୍ଷସାରା ଚାହିଦା ୬୫୦–୭୫୦ ଟନ୍ ମଧ୍ୟରେ ରହିପାରେ
ବିଶ୍ୱ ସୁନା ପରିଷଦ ଆକଳନ କରିଛି ଯେ, ଚଳିତ ବର୍ଷ ଭାରତର ସମୁଦାୟ ସୁନା ଚାହିଦା ୬୫୦ରୁ ୭୫୦ ଟନ୍ ମଧ୍ୟରେ ରହିପାରେ। ଯଦି ଆଗାମୀ ଦିନରେ ଖୁଚୁରା ବଜାରରେ ସୁନା ଦର ହ୍ରାସ ପାଏ ଏବଂ ଆମଦାନି ଶୁଳ୍କ କମେ, ତେବେ ସୁନାର ଚାହିଦା ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏପ୍ରିଲ–ଜୁନ୍ ତ୍ରୈମାସିକରେ ଭାରତରେ ୧୦ ଗ୍ରାମ ସୁନାର ହାରାହାରି ଦର ୧,୫୦,୭୪୪.୮୦ ଟଙ୍କା ରହିଥିଲା, ଯାହା ଗତବର୍ଷର ସମାନ ଅବଧିର ୯୪,୮୭୫.୯୦ ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ।




