ନୂଆଦିଲ୍ଲୀ: ମେଟ୍ରୋ ରେଲ୍ ନେଟୱର୍କର ଦୈର୍ଘ୍ୟରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତ ଆମେରିକାକୁ ପଛରେ ପକାଇପାରେ। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଇନ୍ଦୋରରେ ବିସ୍ତାରିତ ମେଟ୍ରୋ ସେବାର ଉଦ୍ଘାଟନ ଅବସରରେ ଏହି ଆଶା ପ୍ରକାଶ କରିଛନ୍ତି।
ମନୋହର ଲାଲଙ୍କ କହିବା ଅନୁସାରେ, ଇନ୍ଦୋର ମେଟ୍ରୋର ନୂଆ ରୁଟ୍ ଯୋଡ଼ିବା ପରେ ଦେଶର ମେଟ୍ରୋ ନେଟୱର୍କ ପ୍ରାୟ ୧,୧୭୦ କିଲୋମିଟରରେ ପହଞ୍ଚିଛି। ଅନ୍ୟପକ୍ଷରେ ଆମେରିକାର ମେଟ୍ରୋ ନେଟୱର୍କ ପ୍ରାୟ ୧,୩୮୬ କିଲୋମିଟର। ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ପାର୍ଥକ୍ୟ ଏବେ ପ୍ରାୟ ୨୧୬ କିଲୋମିଟର।
ଦୁଇ ବର୍ଷରେ ଦ୍ୱିତୀୟ ସ୍ଥାନ ଲକ୍ଷ୍ୟ
ମନୋହର ଲାଲ କହିଛନ୍ତି, ଭାରତର ମେଟ୍ରୋ ନେଟୱର୍କ ଯେଉଁ ଗତିରେ ବଢ଼ୁଛି, ତାହା ଜାରି ରହିଲେ ଆଗାମୀ ଦୁଇ ବର୍ଷରେ ଦେଶ ଆମେରିକାକୁ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ସର୍ବବୃହତ ମେଟ୍ରୋ ନେଟୱର୍କ ଥିବା ଦେଶ ହୋଇପାରିବ। ଏହି କ୍ଷେତ୍ରରେ ଚୀନ ପ୍ରାୟ ୮,୦୦୦ କିଲୋମିଟର ମେଟ୍ରୋ ରେଲ୍ ନେଟୱର୍କ ସହ ବହୁ ଆଗରେ ରହିଛି।
କେନ୍ଦ୍ରମନ୍ତ୍ରୀଙ୍କ ଅନୁସାରେ, ୨୦୧୪ରେ ଦେଶର ମାତ୍ର ୫ଟି ସହରରେ ପ୍ରାୟ ୨୪୫ କିଲୋମିଟର ମେଟ୍ରୋ ସେବା ଚାଲୁଥିଲା। ଏବେ ଏହା ୨୬ଟି ସହରକୁ ବ୍ୟାପିଛି ଏବଂ ନେଟୱର୍କ ୧,୧୭୦ କିଲୋମିଟରରେ ପହଞ୍ଚିଛି।
ଇନ୍ଦୋର ମେଟ୍ରୋର ବିସ୍ତାର
ଇନ୍ଦୋର ମେଟ୍ରୋର ବିସ୍ତାରିତ ରୁଟ୍ ପାଇଁ ପ୍ରାୟ ୨,୮୫୦ କୋଟି ଟଙ୍କା ବ୍ୟୟ ହୋଇଛି। ପୂର୍ବରୁ ଗାନ୍ଧୀନଗରରୁ ସୁପର କରିଡର-୩ ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ରୁଟ୍ରେ ବାଣିଜ୍ୟିକ ସେବା ଚାଲୁଥିଲା। ଏବେ ଏହାକୁ ଗାନ୍ଧୀନଗରରୁ ମାଲବିୟ ନଗର ଚୌରାହା ପର୍ଯ୍ୟନ୍ତ ୧୭ କିଲୋମିଟରକୁ ବଢ଼ାଯାଇଛି।
ବିସ୍ତାରିତ ରୁଟ୍ରେ ୧୬ଟି ଷ୍ଟେସନ୍ ରହିଛି। ପ୍ରତିଦିନ ସକାଳ ୯ଟାରୁ ଉଭୟ ପାର୍ଶ୍ୱରୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ଏବଂ ଶେଷ ଟ୍ରେନ୍ ସନ୍ଧ୍ୟା ୭ଟାରେ ଚାଲିବ। ପ୍ରତି ୧୫ ମିନିଟ୍ ବ୍ୟବଧାନରେ ମେଟ୍ରୋ ଚଳାଚଳ କରିବା ସହ ଦିନକୁ ୮୦ରୁ ଅଧିକ ଟ୍ରିପ୍ ଚାଲିବ ବୋଲି ଅଧିକାରୀମାନେ କହିଛନ୍ତି।
୨୦୪୭ର ‘ବିକଶିତ ଭାରତ’ ଲକ୍ଷ୍ୟ ସହ ଯୋଡ଼ିଲେ ମେଟ୍ରୋ
ମନୋହର ଲାଲ କହିଛନ୍ତି, ମେଟ୍ରୋ ରେଲ୍ କେବଳ ଯାତାୟାତର ଏକ ମାଧ୍ୟମ ନୁହେଁ; ଏହା ସହରବାସୀଙ୍କ ‘ସହଜ ଜୀବନ’କୁ ମଧ୍ୟ ସୁଗମ କରିଥାଏ। ଦ୍ରୁତ ସହରୀକରଣ ମଧ୍ୟରେ ଆଧୁନିକ ଓ ଦକ୍ଷ ସାର୍ବଜନୀନ ପରିବହନ ବ୍ୟବସ୍ଥା ବିକାଶ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ସହ ଜଡ଼ିତ ବୋଲି ସେ କହିଛନ୍ତି।
ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ଇନ୍ଦୋର ମେଟ୍ରୋର ବିସ୍ତାର ସହରର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଭବିଷ୍ୟତରେ ଏହାକୁ ଉଜ୍ଜୟିନୀ ଓ ଆଖପାଖ ଅଞ୍ଚଳକୁ ବିସ୍ତାର କରିବାର ଯୋଜନା ରହିଥିବା ସେ କହିଛନ୍ତି।




