ଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଏକ ସ୍ମରଣୀୟ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। ଏହି ଚୁକ୍ତିର ପ୍ରାୟ ୯୯ ପ୍ରତିଶତ ଆଲୋଚନା ଓ ପ୍ରକ୍ରିୟା ସରିଯାଇଛି ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ ଆଇଆଇଟି (IIT) ପରିସରରେ ଆୟୋଜିତ ‘ୟୁଏସ୍-ଇଣ୍ଡିଆ ଟ୍ରଷ୍ଟ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରଦୂତ କହିଛନ୍ତି ଯେ, ବାଣିଜ୍ୟ ଚୁକ୍ତିର ମାତ୍ର ଶେଷ ୧ ପ୍ରତିଶତ କାମ ବାକି ଅଛି, ଯାହାକୁ ନେଇ ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ଆଲୋଚନା ଜାରି ରହିଛି। ଏହି ବାଣିଜ୍ୟ ଆଲୋଚନାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆମେରିକାର ମୁଖ୍ୟ ବାଣିଜ୍ୟ ପ୍ରତିନିଧିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜୁନ୍ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତା କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଏହି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହେବ, ଯାହା ଉଭୟ ଦେଶର ଆର୍ଥିକ ସମୃଦ୍ଧିକୁ ଏକ ନୂଆ ଦିଗ ଦେବ।

ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବହୁ ଗୁଣ ବୃଦ୍ଧି ପାଇଛି। ଦୁଇ ଦଶନ୍ଧି ପୂର୍ବେ ଉଭୟ ଦେଶ ମଧ୍ୟରେ ମାତ୍ର ୨୦ ବିଲିୟନ ଡଲାରର କାରବାର ହେଉଥିବା ବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୨୨୦ ବିଲିୟନ ଡଲାରରେ ପହଞ୍ଚିଛି। ବର୍ତ୍ତମାନ ଆମେରିକା, ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ ପାଲଟିଛି।

ଏହି ନୂତନ ଚୁକ୍ତି ଦ୍ୱାରା ବିଶେଷ କରି ଡିଜିଟାଲ୍ ବାଣିଜ୍ୟ, ଉନ୍ନତମାନର ମାନୁଫ୍ୟାକ୍ଚରିଂ, ଶକ୍ତି ଏବଂ ଆଧୁନିକ ଜ୍ଞାନକୌଶଳ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ। ଏହି ବାଣିଜ୍ୟ ଚୁକ୍ତି ଫଳରେ ଭାରତୀୟ ସାମଗ୍ରୀ ପାଇଁ ଆମେରିକା ବଜାର ଆହୁରି ସହଜ ହେବ ଏବଂ ଆମେରିକାର ବ୍ୟବସାୟ ତଥା ଶ୍ରମିକମାନଙ୍କ ପାଇଁ ଭାରତରେ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ। ଉଭୟ ଦେଶ ଏହି ଚୁକ୍ତିକୁ ନେଇ ବେଶ୍ ଉତ୍ସାହିତ ଥିବାରୁ ଏହା ଦ୍ୱିପାକ୍ଷିକ ଅର୍ଥନୀତିର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।