ଭାରତୀୟ ରେଳବାଇରେ ଦୀର୍ଘଦିନ ଧରି ଚାଲିଆସୁଥିବା Reservation Against Cancellation (RAC) ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରେ। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ନେଇ ରେଳବାଇ ବିଚାର କରୁଥିବା ଜଣାପଡ଼ିଛି। ଏନେଇ ଏକ ସଂସଦୀୟ କମିଟି ମଧ୍ୟ ରେଳବାଇକୁ ବର୍ତ୍ତମାନର ବ୍ୟବସ୍ଥାର ସମୀକ୍ଷା କରିବାକୁ ପରାମର୍ଶ ଦେଇଛି।
କାହିଁକି ହଟିପାରେ RAC ବ୍ୟବସ୍ଥା?
ବର୍ତ୍ତମାନର ନିୟମ ଅନୁସାରେ, RAC ଟିକେଟ୍ରେ ଦୁଇ ଜଣ ଯାତ୍ରୀଙ୍କୁ ଗୋଟିଏ ସାଇଡ୍ ଲୋୟର ବର୍ଥ ଆବଣ୍ଟନ କରାଯାଏ। ଦିନବେଳେ ଏହାକୁ ବସିବା ପାଇଁ ବ୍ୟବହାର କରାଯାଉଥିବାବେଳେ ରାତିରେ ଦୁଇ ଯାତ୍ରୀଙ୍କୁ ସେହି ବର୍ଥରେ ଶୋଇବାକୁ ପଡ଼େ। ତେବେ ଉଭୟ ଯାତ୍ରୀ ପୂରା ଟିକେଟ୍ ଭଡ଼ା ଦେଇଥାନ୍ତି।
ପୂରା ଭଡ଼ା ଦେବା ପରେ ମଧ୍ୟ ଜଣେ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଶୋଇବା ବର୍ଥ ମିଳୁନଥିବାରୁ ଏହାକୁ ନେଇ ଅସନ୍ତୋଷ ରହିଛି। ବିଶେଷକରି ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀଙ୍କୁ ଗୋଟିଏ ବର୍ଥ ଆବଣ୍ଟନ କରାଗଲେ ଅସୁବିଧା ସୃଷ୍ଟି ହେଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ସଂସଦୀୟ କମିଟିର ପରାମର୍ଶ
RAC ଟିକେଟ୍ଧାରୀଙ୍କଠାରୁ ପୂରା ଭଡ଼ା ନେଇ ସେମାନଙ୍କୁ ଅଧା ବର୍ଥ ଯୋଗାଇଦେବାର ଯୁକ୍ତିଯୁକ୍ତତା ଉପରେ ସଂସଦୀୟ କମିଟି ପ୍ରଶ୍ନ ଉଠାଇଛି। ଏହି ବ୍ୟବସ୍ଥାର ସମୀକ୍ଷା କରି ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ୱ ଦେବାକୁ କମିଟି ପରାମର୍ଶ ଦେଇଛି।
କ’ଣ ଏହି RAC ବ୍ୟବସ୍ଥା?
RACର ପୂରା ନାମ ହେଉଛି Reservation Against Cancellation। ଏହା ଏକ ଟିକେଟ୍ ସ୍ଥିତି, ଯେଉଁଥିରେ ଯାତ୍ରୀଙ୍କୁ ଟ୍ରେନ୍ରେ ଯାତ୍ରା କରିବାର ଅନୁମତି ମିଳେ, କିନ୍ତୁ ପୂର୍ଣ୍ଣ ଶୋଇବା ବର୍ଥ ନିଶ୍ଚିତ ହୋଇନଥାଏ। ଅନ୍ୟ କୌଣସି ଯାତ୍ରୀ ଟିକେଟ୍ ବାତିଲ କଲେ ଖାଲି ହେଉଥିବା ବର୍ଥ RAC ଯାତ୍ରୀଙ୍କୁ ନିୟମ ଅନୁସାରେ ମିଳିପାରେ।
ପୂର୍ବରୁ ଟ୍ରେନ୍ରେ ଟିକେଟ୍ ବାତିଲ ଓ ବର୍ଥ ଆବଣ୍ଟନ ପ୍ରକ୍ରିୟା ମାନୁଆଲ୍ ଭାବେ ହେଉଥିଲା। ବାତିଲ ହେଉଥିବା ଟିକେଟ୍ରୁ ଖାଲି ରହିଯାଉଥିବା ବର୍ଥର ସଦୁପଯୋଗ ପାଇଁ RAC ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପରେ କମ୍ପ୍ୟୁଟରୀକୃତ ରିଜର୍ଭେସନ୍ ବ୍ୟବସ୍ଥା ଆସିଥିଲେ ମଧ୍ୟ ଏହା ଜାରି ରହିଛି।
ତେବେ RAC ବ୍ୟବସ୍ଥା ଉଚ୍ଛେଦ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ହୋଇନାହିଁ। ରେଳବାଇ ଏହାର ସମୀକ୍ଷା କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।




