ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଆଣିଛି ଭାରତୀୟ ରେଳ। ଏବେ ଅତିରିକ୍ତ ଲଗେଜ୍ ବୁକିଂ ପାଇଁ ଆଉ ପାର୍ସଲ୍ ଅଫିସ୍‌ରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ନୂଆ ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନେ ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ହିଁ ଅନଲାଇନ୍‌ରେ ଅତିରିକ୍ତ ଲଗେଜ୍‌ର ବୁକିଂ କରିପାରିବେ।

ଭାରତୀୟ ରେଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ସେବାର ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କ ସମୟ ବଞ୍ଚାଇବା ଓ ଲଗେଜ୍ ବୁକିଂ ପ୍ରକ୍ରିୟାକୁ ଅଧିକ ସହଜ କରିବା। ଏବେ ଟିକେଟ୍ ଓ ଲଗେଜ୍ ବୁକିଂ ଗୋଟିଏ ପ୍ରକ୍ରିୟାରେ ସମ୍ପନ୍ନ ହୋଇପାରିବ।

କେଉଁମାନେ ପାଇବେ ଏହି ସୁବିଧା?

ଏହି ସୁବିଧା କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିବ। ଅନୁମୋଦିତ ମାଗଣା ଲଗେଜ୍ ସୀମାଠାରୁ ଅଧିକ ସାମଗ୍ରୀ ନେଉଥିବା ଯାତ୍ରୀମାନେ ଅତିରିକ୍ତ ଲଗେଜ୍‌ର ଅନଲାଇନ୍ ବୁକିଂ କରିପାରିବେ।

ଏହି ସେବା ଏସି ଫର୍ଷ୍ଟ କ୍ଲାସ୍, ଏସି-୨ ଟାୟାର, ଫର୍ଷ୍ଟ କ୍ଲାସ୍, ସ୍ଲିପର୍ କ୍ଲାସ୍ ଓ ସେକେଣ୍ଡ କ୍ଲାସ୍ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ତେବେ ଏସି-୩ ଟାୟାର ଏବଂ ଚେୟାର କାର୍ ଯାତ୍ରୀମାନେ ବର୍ତ୍ତମାନ ପାଇଁ ଏହି ସୁବିଧାର ଲାଭ ପାଇବେ ନାହିଁ।

କେତେ କେଜି ଲଗେଜ୍ ମାଗଣା?

ରେଳ ନିୟମ ଅନୁଯାୟୀ, ଏସି ଫର୍ଷ୍ଟ କ୍ଲାସ୍ ଯାତ୍ରୀମାନେ ୭୦ କେଜି ପର୍ଯ୍ୟନ୍ତ ଲଗେଜ୍ ମାଗଣାରେ ନେଇପାରିବେ। ଅନ୍ୟ ଶ୍ରେଣୀରେ ଏହି ସୀମା ୩୫ରୁ ୫୦ କେଜି ପର୍ଯ୍ୟନ୍ତ ରହିଛି।

ମାଗଣା ସୀମାଠାରୁ ଅଧିକ ଲଗେଜ୍ ଥିଲେ ଅତିରିକ୍ତ ଶୁଳ୍କ ଦେଇ ତାହାକୁ ଅନଲାଇନ୍‌ରେ ବୁକ୍ କରିହେବ। ତେବେ ପ୍ରତ୍ୟେକ ଶ୍ରେଣୀ ପାଇଁ ନିର୍ଦ୍ଧାରିତ ସର୍ବାଧିକ ଲଗେଜ୍ ସୀମା ରହିଛି, ଯାହା ୭୦ କେଜିରୁ ୧୫୦ କେଜି ପର୍ଯ୍ୟନ୍ତ ହୋଇପାରେ।

ଲଗେଜ୍‌ର ଆକାର ପାଇଁ ମଧ୍ୟ ନିୟମ

ଓଜନ ସହିତ ଲଗେଜ୍‌ର ଆକାର ଉପରେ ମଧ୍ୟ ରେଳ ପକ୍ଷରୁ ନିୟମ ଜାରି କରାଯାଇଛି। ନିର୍ଦ୍ଧାରିତ ଆକାର ଓ ଓଜନ ସୀମା ମଧ୍ୟରେ ଥିବା ଲଗେଜ୍‌କୁ ମାତ୍ର ଏହି ବ୍ୟବସ୍ଥାରେ ବୁକ୍ କରାଯାଇପାରିବ। ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଯାତ୍ରୀଙ୍କୁ ପାର୍ସଲ୍ ଅଫିସ୍‌କୁ ଯାଇ ଅଲଗା ଭାବେ ଲଗେଜ୍ ବୁକିଂ କରିବାର ଆବଶ୍ୟକତା ରହିବ ନାହିଁ, ଫଳରେ ରେଳ ଯାତ୍ରା ଆହୁରି ସୁବିଧାଜନକ ହେବ।