ନୂଆଦିଲ୍ଲୀ: ମାଲ୍ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇ ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୨୬ ଅକ୍ଟୋବର ମାସରେ ରେଳବାଇ ମୋଟ ୧୪୫.୦୭ ନିୟୁତ ଟନ୍‌ ମାଲ୍ ପରିବହନ କରିଛି। ଗତବର୍ଷ ଅକ୍ଟୋବରରେ ଏହି ପରିମାଣ ୧୩୩.୯୩ ନିୟୁତ ଟନ୍‌ ଥିଲା। ଅର୍ଥାତ୍‌ ବର୍ଷକ ମଧ୍ୟରେ ମାଲ୍ ପରିବହନରେ ୮.୩୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ରେଳ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି।

ବିଭିନ୍ନ ସାମଗ୍ରୀର ପରିବହନ ବୃଦ୍ଧି ଏହି ସଫଳତାର ମୁଖ୍ୟ କାରଣ। ଅକ୍ଟୋବରରେ ଖାଦ୍ୟଶସ୍ୟ ପରିବହନରେ ସର୍ବାଧିକ ୨୬.୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। ସେହିପରି ଘରୋଇ କୋଇଲା ପରିବହନ ୧୬ ପ୍ରତିଶତ, ଅନ୍ୟାନ୍ୟ ସାମଗ୍ରୀ ୧୧ ପ୍ରତିଶତ ଏବଂ ସିମେଣ୍ଟ ଉତ୍ପାଦନରେ ବ୍ୟବହୃତ କ୍ଲିଙ୍କର୍‌ ପରିବହନ ୧୦.୪ ପ୍ରତିଶତ ବଢ଼ିଛି।

ଏହାବ୍ୟତୀତ ଘରୋଇ କଣ୍ଟେନର୍‌ ପରିବହନରେ ୬.୩ ପ୍ରତିଶତ, ଲୁହାପଥର ପରିବହନରେ ୫ ପ୍ରତିଶତ, ଖଣିଜ ତେଲ ପରିବହନରେ ୧.୯ ପ୍ରତିଶତ ଏବଂ ପ୍ରସ୍ତୁତ ଇସ୍ପାତ ପରିବହନରେ ୦.୫ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି।

ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ କୋଇଲାର ଚାହିଦା ବଢ଼ିବା ପରେ ରେଳବାଇ ଏହାର ପରିବହନ ବୃଦ୍ଧି କରିଛି। ଅକ୍ଟୋବରରେ ପ୍ରତିଦିନ ହାରାହାରି ୪୬୯.୮ଟି କୋଇଲା ରେକ୍‌ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି। ଗତବର୍ଷ ଏହି ସଂଖ୍ୟା ୩୯୩.୨ ଥିଲା। ଫଳରେ କୋଇଲା ରେକ୍‌ ଯୋଗାଣରେ ୧୯.୫ ପ୍ରତିଶତ ବୃଦ୍ଧି ହୋଇଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ମଧ୍ୟ ରେଳବାଇର ମାଲ୍ ପରିବହନ ବଢ଼ିଛି। ଏପ୍ରିଲ୍‌ରୁ ଅକ୍ଟୋବର ୨୦୨୬ ମଧ୍ୟରେ ମୋଟ ୯୭୮.୭୮ ନିୟୁତ ଟନ୍‌ ମାଲ୍ ପରିବହନ ହୋଇଛି। ଗତ ଆର୍ଥିକ ବର୍ଷର ସମାନ ସମୟରେ ଏହା ୯୩୫.୧୦ ନିୟୁତ ଟନ୍‌ ଥିଲା। ଏହି ଅବଧିରେ ମାଲ୍ ପରିବହନ ୪.୬୭ ପ୍ରତିଶତ ବୃଦ୍ଧି ପାଇଛି।

ଯାତ୍ରୀ ପରିବହନରେ ମଧ୍ୟ ବୃଦ୍ଧି

ମାଲ୍ ପରିବହନ ସହ ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ରେଳବାଇ ଅଭିବୃଦ୍ଧି ରେକର୍ଡ କରିଛି। ଅକ୍ଟୋବରରେ ୬୪.୭୨ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ଗତବର୍ଷ ଅକ୍ଟୋବରରେ ଏହି ସଂଖ୍ୟା ୬୩.୫୨ କୋଟି ଥିଲା।

ସେହିପରି ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ମୋଟ ୪୪୩.୮ କୋଟି ଯାତ୍ରୀ ରେଳରେ ଯାତ୍ରା କରିଛନ୍ତି। ପୂର୍ବବର୍ଷର ସମାନ ଅବଧିରେ ଏହି ସଂଖ୍ୟା ୪୩୧.୪ କୋଟି ଥିଲା। ଏହି ସମୟରେ ନନ୍‌-ସବର୍ବାନ୍‌ ଯାତ୍ରୀ ପରିବହନରେ ୪.୨ ପ୍ରତିଶତ ଏବଂ ସବର୍ବାନ୍‌ ପରିବହନରେ ୧.୭ ପ୍ରତିଶତ ବୃଦ୍ଧି ହୋଇଛି।

ରେଳବାଇର କହିବା ଅନୁଯାୟୀ, ରେଳ ନେଟ୍‌ୱର୍କର କ୍ଷମତା ବୃଦ୍ଧି, ପରିଚାଳନାଗତ ଦକ୍ଷତାରେ ସୁଧାର ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଏହି ଅଭିବୃଦ୍ଧିରେ ସହାୟକ ହୋଇଛି।