ମୁମ୍ବାଇ: ଚଳିତ ବର୍ଷର ପ୍ରଥମ ତିନି ମାସରେ ଭାରତୀୟ ଷ୍ଟକ୍‌ ବଜାରରେ ହୋଇଥିବା ବଡ଼ ପତନ ଫଳରେ ଦେଶର ପରିବାରଗୁଡ଼ିକୁ ଭାରି ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଅଧିକ ରିଟର୍ଣ୍ଣ ଆଶାରେ ସେୟାର ବଜାରରେ ନିବେଶ କରିଥିବା ପରିବାରମାନେ ମୋଟ ୧୨.୬ ଲକ୍ଷ କୋଟି ଟଙ୍କା ହରାଇଥିବା ସୂଚନା ମିଳିଛି। ଇରାନ ଯୁଦ୍ଧ, ଅଶୋଧିତ ତୈଳ ଦର ବୃଦ୍ଧି, ଟଙ୍କାର ଦୁର୍ବଳତା ଏବଂ ବିଶ୍ୱ ଭୂରାଜନୈତିକ ସଙ୍କଟର ପ୍ରଭାବରେ ଭାରତୀୟ ସେୟାର ବଜାର ତଳକୁ ଖସିଥିବାରୁ ଏହି କ୍ଷତି ହୋଇଛି।

National Stock Exchangeରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକରେ ପରିବାରମାନେ ପ୍ରତ୍ୟକ୍ଷ ଭାବେ କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ୍‌ ମାଧ୍ୟମରେ ନିବେଶ କରୁଛନ୍ତି। ଏହି କମ୍ପାନିଗୁଡ଼ିକରେ ଭାରତୀୟ ପରିବାରଙ୍କ ମାଲିକାନା ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇ ୭୬.୫ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ତେବେ ଦୀର୍ଘକାଳୀନ ଦୃଷ୍ଟିରୁ ଦେଖିଲେ ନିବେଶକମାନେ ଏଯାବତ୍‌ ଲାଭରେ ରହିଛନ୍ତି। ୨୦୨୦ ମାର୍ଚ୍ଚ ପରଠାରୁ ଷ୍ଟକ୍‌ ବଜାରରେ ନିବେଶ ଉପରେ ସେମାନେ ବାର୍ଷିକ ପ୍ରାୟ ୨୯.୬ ପ୍ରତିଶତ ରିଟର୍ଣ୍ଣ ପାଇଛନ୍ତି।

କରୋନା ମହାମାରୀ ପରେ ଦେଶରେ ଖୁବ ଦ୍ରୁତ ଗତିରେ ଷ୍ଟକ୍‌ ବଜାର ନିବେଶ ବଢ଼ିଥିଲା। କିନ୍ତୁ ଗତ କିଛି ମାସ ହେଲା ପ୍ରତ୍ୟକ୍ଷ ନିବେଶକଙ୍କ ସଂଖ୍ୟା କମୁଥିବା ଦେଖାଯାଇଛି। ତଥାପି ଏହାର ଅର୍ଥ ନୁହେଁ ଯେ ନିବେଶକମାନେ ଇକ୍ବିଟି ବଜାରଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ବରଂ ସେମାନେ ଏସ୍‌ଆଇପି ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଜରିଆରେ ପରୋକ୍ଷ ଭାବେ ନିବେଶ କରୁଛନ୍ତି।

ଅନ୍ୟପଟେ, ୨୦୨୫-୨୬ ଆର୍ଥିକ ବର୍ଷରେ ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ (FPI) ଭାରତୀୟ ବଜାରରୁ ପ୍ରାୟ ୧୯୬୦ କୋଟି ଡଲାର ପ୍ରତ୍ୟାହାର କରିଛନ୍ତି। ଫଳରେ ଏନ୍‌ଏସ୍‌ଇ ତାଲିକାଭୁକ୍ତ କମ୍ପାନିଗୁଡ଼ିକରେ ସେମାନଙ୍କ ମାଲିକାନା ୧୭ ବର୍ଷର ସର୍ବନିମ୍ନ ସ୍ତର ୧୫.୮ ପ୍ରତିଶତକୁ ହ୍ରାସ ପାଇଛି। ତେବେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ମାଲିକାନା ୧୧.୪ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ବିଶେଷଜ୍ଞମାନଙ୍କ ମତରେ, ବଜାରରେ ଅସ୍ଥିରତା ଥିଲେ ମଧ୍ୟ ଦୀର୍ଘମିଆଦି ନିବେଶ ରଣନୀତି ଅନୁସରଣ କରୁଥିବା ନିବେଶକମାନେ ଭବିଷ୍ୟତରେ ଲାଭ ପାଇପାରିବେ।