ନୂଆଦିଲ୍ଲୀ: ଦୁବାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋର 6E-1452 ବିମାନ ସୋମବାର ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ମୋଟ ୧୯୪ ଜଣ ଯାତ୍ରୀ ଥିବାବେଳେ କାର୍ଗୋ ହୋଲ୍ଡରେ ଧୂଆଁ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ଭାବେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ବିମାନ କର୍ମଚାରୀମାନେ କାର୍ଗୋ ହୋଲ୍ଡରେ ଧୂଆଁ ଦେଖିବା ପରେ ପାଇଲଟ ତୁରନ୍ତ ରାଜକୋଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସହ ଯୋଗାଯୋଗ କରିଥିଲେ। ପରେ ବିମାନ ପାଇଁ ପୂର୍ଣ୍ଣ ଜରୁରୀ ପରିସ୍ଥିତି (Full Emergency) ଘୋଷଣା କରାଯାଇ ସୁରକ୍ଷିତ ଅବତରଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

ରାଜକୋଟ ବିମାନବନ୍ଦର ନିର୍ଦ୍ଦେଶକ ଦିଗନ୍ତ ବୋରା କହିଛନ୍ତି ଯେ, ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅବତରଣ ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଏପଟେ ରାଜକୋଟ ପୁଲିସ କମିସନର କହିଛନ୍ତି ଯେ, ବିମାନର ଜରୁରୀ ଅବତରଣ ପରେ ବିମାନଟିକୁ ବିସ୍ତୃତ ଭାବେ ଯାଞ୍ଚ କରାଯାଉଛି। ଧୂଆଁ ସୃଷ୍ଟିର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନାହିଁ।