ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ କେନ୍ଦ୍ର କରି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ତର୍କ ଜାରି ରହିଛି। ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର କଥିତ ବଳପ୍ରୟୋଗକୁ ବିରୋଧ କରି ସୋମବାର ବିରୋଧୀ ଦଳର ସାଂସଦମାନେ ସଂସଦ ପରିସରର ମକର ଦ୍ୱାର ନିକଟରେ ବ୍ୟାନର ପ୍ରଦର୍ଶନ କରି ପ୍ରତିବାଦ କରିଥିଲେ। ଏହି ସମୟରେ ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ସରକାରଙ୍କଠାରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଥିଲେ।
ବିରୋଧୀଙ୍କ ପ୍ରତିବାଦ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଅନେକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ୨୦୦୪ରୁ ୨୦୨୬ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ, ସେଠାରେ ହୋଇଥିବା ସାକ୍ଷାତକାର ଏବଂ ଆଲୋଚନା ସମ୍ପର୍କରେ ସ୍ୱଚ୍ଛତା ଆବଶ୍ୟକ। ୨୦୦୮ରେ କଂଗ୍ରେସ ଏବଂ ଚୀନ୍ର ଶାସକ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।
ନିଶିକାନ୍ତ ଦୁବେ ଆହୁରି ଅଭିଯୋଗ କରିଥିଲେ ଯେ, ବିଦେଶ ଗସ୍ତ ସମୟରେ ରାହୁଲ ଗାନ୍ଧୀ ଭାରତ, କେନ୍ଦ୍ର ସରକାର ଓ ସମ୍ବିଧାନ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହି କାରଣରୁ ତାଙ୍କୁ ଲୋକସଭାର ବିରୋଧୀ ଦଳନେତା ପଦରୁ ହଟାଇବା ଏବଂ ତାଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ଏକ ବିଶେଷ ତଦନ୍ତକାରୀ ଦଳ (SIT) ଗଠନ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା କହିଛନ୍ତି।
ବିଜେପି ସାଂସଦ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧୀ ଓ କିଛି ବିରୋଧୀ ନେତା ବିଦେଶରେ ଭାରତର ଛବିକୁ କ୍ଷୁଣ୍ଣ କରୁଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ଉପରେ ଖବର ଲେଖାଯିବା ସୁଦ୍ଧା ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
ଏପଟେ ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଜନ୍ତରମନ୍ତର ଘଟଣାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି।




