ନୂଆଦିଲ୍ଲୀ: ଆମେରିକାର ବିଦେଶ ସଚିବ Marco Rubio ଶନିବାର ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ପ୍ରଥମେ କୋଲକାତା ଏବଂ ପରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହି ଗସ୍ତକୁ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। କିନ୍ତୁ ଭାରତରେ ପହଞ୍ଚିବା ପରେ ଇରାନ ପକ୍ଷରୁ ତାଙ୍କୁ ନେଇ ସୋସିଆଲ ମିଡିଆରେ କଟାକ୍ଷ କରାଯାଇଛି।

ରୁବିଓ ଭାରତରେ ପହଞ୍ଚିବା ପରେ ‘ଏକ୍ସ’ରେ ଏକ ପୋଷ୍ଟ କରିଥିଲେ। ଏହାକୁ ଉଦ୍ଧୃତ କରି ମୁମ୍ବାଇସ୍ଥିତ ଇରାନ କନସୁଲେଟ୍ ହିନ୍ଦୀ ଭାଷାରେ ପ୍ରତିକ୍ରିୟା ଦେଇ କହିଥିଲା ଯେ, ସେ ଭାରତରୁ “ମାଗଣାରେ ସଭ୍ୟତାର କ୍ରାସ୍ କୋର୍ସ” ଶିଖିପାରିବେ। ଇରାନର ଏହି ମନ୍ତବ୍ୟକୁ ନେଇ କୂଟନୈତିକ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଯଦିଓ ଇରାନ କନସୁଲେଟ୍ ଏହି ମନ୍ତବ୍ୟର ସ୍ପଷ୍ଟ ବ୍ୟାଖ୍ୟା ଦେଇନାହିଁ, ତଥାପି ଏହାକୁ Donald Trumpଙ୍କ ପୂର୍ବତନ ମନ୍ତବ୍ୟର ପ୍ରତିଉତ୍ତର ଭାବେ ଦେଖାଯାଉଛି। ଏପ୍ରିଲ ମାସରେ ଟ୍ରମ୍ପ କହିଥିଲେ ଯେ, ଯଦି ଇରାନ ଶାନ୍ତି ଚୁକ୍ତିକୁ ମାନିବ ନାହିଁ ଏବଂ ହର୍ମୁଜ୍ ପ୍ରଣାଳୀରୁ ଅବରୋଧ ହଟାଇବ ନାହିଁ, ତେବେ “ଗୋଟିଏ ରାତିରେ ସମ୍ପୂର୍ଣ୍ଣ ସଭ୍ୟତା ଧ୍ୱଂସ ହୋଇପାରେ”।

ଗତ ବର୍ଷ ମଧ୍ୟଭାଗରୁ ଭାରତ-ଆମେରିକା ସମ୍ପର୍କ କିଛି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ରୁବିଓଙ୍କ ଏହି ଗସ୍ତକୁ ଦୁଇ ଦେଶର କୂଟନୈତିକ ସମ୍ପର୍କ ପୁନର୍ବାର ସୁଦୃଢ଼ କରିବାର ପ୍ରୟାସ ଭାବେ ଦେଖାଯାଉଛି।