ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ୍ ରେଳୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେସନ୍ (ଆଇଆର୍ସିଟିସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ସଞ୍ଜୟ କୁମାର ଜୈନ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ମଞ୍ଜୁର କରାଯାଇଥିବା ବେଳେ ସେ ଆସନ୍ତା ଜୁଲାଇ ୨୦ରେ ଆନୁଷ୍ଠାନିକ ଭାବେ କାର୍ଯ୍ୟରୁ ଅବ୍ୟାହତି ନେବେ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି ଯେ, ନୂଆ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ଖୁବ୍ଶୀଘ୍ର ଜଣେ ଅନ୍ତରୀଣ ମୁଖ୍ୟଙ୍କୁ ଦାୟିତ୍ୱ ଦିଆଯିବ।
ନିଜ ଇସ୍ତଫା ପତ୍ରରେ ସଞ୍ଜୟ କୁମାର ଜୈନ ଲେଖିଛନ୍ତି ଯେ, ଆଇଆର୍ସିଟିସିରେ କାମ କରିବା ତାଙ୍କ ପାଇଁ ଏକ ସ୍ମରଣୀୟ ଓ ଗୌରବମୟ ଅନୁଭବ ଥିଲା। ସେ ନିଜ କାର୍ଯ୍ୟକାଳ ସମୟରେ ସହଯୋଗ କରିଥିବା ସମସ୍ତ କର୍ମଚାରୀ, ଅଧିକାରୀ ଓ ଅଂଶୀଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତାଙ୍କ ନେତୃତ୍ୱ କାଳରେ ଆଇଆର୍ସିଟିସି ଅନେକ ବ୍ୟବସାୟିକ ସଫଳତା ହାସଲ କରିଥିବା ସହ ଏକ ନବରତ୍ନ କମ୍ପାନି ଭାବେ ପରିଚିତି ଲାଭ କରିଥିଲା। ଏବେ ତାଙ୍କ ପରବର୍ତ୍ତୀ ନେତୃତ୍ୱ କିଏ ନେବେ ସେନେଇ ଆଗାମୀ ଦିନରେ ସ୍ପଷ୍ଟତା ଆସିବ।




