ନୂଆଦିଲ୍ଲୀ: ସାଧାରଣ ନାଗରିକ, ସୁରକ୍ଷାକର୍ମୀ, ସାମ୍ବାଦିକ ଏବଂ ସରକାରୀ ଅଧିକାରୀମାନଙ୍କୁ ଲକ୍ଷ୍ୟ କରି ପାକିସ୍ତାନର ଗୋଇନ୍ଦା ସଂସ୍ଥା ISI ଏକ ନୂଆ ‘ମାନସିକ ଯୁଦ୍ଧ’ ଆରମ୍ଭ କରିଛି। ‘ଡକ୍ସିଂ’, ଅନଲାଇନ୍ ନିର୍ଯାତନା ଏବଂ ଧମକପୂର୍ଣ୍ଣ ବାର୍ତ୍ତା ମାଧ୍ୟମରେ ଭାରତୀୟଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିବା ପାଇଁ ISI ଏହି ଶସ୍ତା ଷଡ଼ଯନ୍ତ୍ର ରଚିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ସମ୍ବେଦନଶୀଳ ସତର୍କସୂଚନା ଜାରି କରିଛି।

‘ଡକ୍ସିଂ’ ହେଉଛି କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ଯେପରିକି ଫୋନ୍ ନମ୍ବର, ଘର ଠିକଣା, ଫଟୋ, ଏବଂ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ଚୋରି କରି ତାହାକୁ ଅନଲାଇନ୍/ସୋସିଆଲ ମିଡିଆରେ ଆପତ୍ତିଜନକ ଓ ଧମକପୂର୍ଣ୍ଣ ମେସେଜ୍ ସହ ସାର୍ବଜନୀନ କରିବା।

ଗୋଇନ୍ଦା ଅଧିକାରୀଙ୍କ ସୂଚନା ଅନୁଯାୟୀ, ISI ହ୍ୟାକରମାନଙ୍କୁ ନିୟୋଜିତ କରିବା ସହ ଯୁବକମାନଙ୍କୁ ଟଙ୍କାର ପ୍ରଲୋଭନ ଦେଇ ସାଧାରଣ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରୁଛି। ଗୋପନୀୟ ବ୍ୟାଙ୍କ ତଥ୍ୟ ହ୍ୟାକ୍ କରି ତାହାକୁ ସୋସିଆଲ ମିଡିଆରେ ସାର୍ବଜନୀନ କରି ଲୋକଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ପୂର୍ବରୁ ISI ଏହି ‘ଡକ୍ସିଂ’ ମାଧ୍ୟମରେ ଜମ୍ମୁ-କାଶ୍ମୀରରେ କାଶ୍ମୀରୀ ପଣ୍ଡିତ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ଲକ୍ଷ୍ୟ କରି ଆତଙ୍କ ସୃଷ୍ଟି କରିବାରେ ସଫଳ ହୋଇଥିଲା। ଏବେ ସେହି ସମାନ ମଡେଲକୁ ସମଗ୍ର ଭାରତରେ କାର୍ଯ୍ୟକାରୀ କରିବାକୁ ISI ଚକ୍ରାନ୍ତ କରିଛି।

‘ଅପରେସନ୍ ସିନ୍ଦୂର’ ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଯୁଦ୍ଧ କିମ୍ବା ଆତଙ୍କବାଦୀ ଆକ୍ରମଣରେ ଭାରତ ଆଗରେ ତିଷ୍ଠି ନପାରି ନିରାଶ ହୋଇପଡ଼ିଥିବା ପାକିସ୍ତାନ, ଏବେ ଏହି କମ୍ ଖର୍ଚ୍ଚିଆ ସାଇବର ଷଡ଼ଯନ୍ତ୍ରକୁ ଆପଣାଇଛି।

ଏହି ସାଇକୋଲୋଜିକାଲ ୱାରଫେୟାର କେବଳ ସାଧାରଣ ନାଗରିକଙ୍କ ମଧ୍ୟରେ ସୀମିତ ନୁହେଁ। ନିଜର ଆତଙ୍କବାଦୀ କାର୍ଯ୍ୟକଳାପର ପର୍ଦ୍ଦାଫାଶ କରୁଥିବା ସୁରକ୍ଷାକର୍ମୀ, ଗୋଇନ୍ଦା ଅଧିକାରୀ, ପୋଲିସ, ସାମ୍ବାଦିକ ଏବଂ ଗବେଷକମାନଙ୍କୁ ନିରାଶ ଓ ଭୟଭୀତ କରିବା ପାଇଁ ISI ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ କରିବାକୁ ଚେଷ୍ଟା କରୁଛି।

ଏହି ବୃହତ୍ ଷଡ଼ଯନ୍ତ୍ର ପ୍ରତି ସଜାଗ ରହିବା ସହ ଅନଲାଇନ୍‌ରେ ନିଜର ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତା ସୁରକ୍ଷିତ ରଖିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ପରାମର୍ଶ ଦିଆଯାଇଛି।