ନୂଆଦିଲ୍ଲୀ: ୟୁରୋପୀୟ ଦେଶ ଇଟାଲୀରେ ଜୀବନଯାପନ ଖର୍ଚ୍ଚ ବୃଦ୍ଧି ଓ ସାର୍ବଜନୀନ ସେବାର ଅବ୍ୟବସ୍ଥାକୁ ବିରୋଧ କରି ହେଉଥିବା ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି। ଦେଶର ପ୍ରମୁଖ ସହର ମିଲାନ୍‌ରେ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ, ଦୋକାନ ଭଙ୍ଗାରୁଜା ଏବଂ ଲୁଟ୍‌ପାଟ୍‌ ଘଟଣା ପରେ ସରକାର ଏବେ କଠୋର ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସ୍ଥିତିର ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଅନ୍ୟପଟେ, ଇଟାଲୀରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଏକ ସତର୍କତାମୂଳକ ଆଡଭାଇଜରି ଜାରି କରିଛି।

ଗତ ଶନିବାର ଓ ରବିବାର ମିଲାନ୍‌ରେ ପ୍ରଦର୍ଶନ ସମୟରେ ହିଂସାକାଣ୍ଡ ଘଟିଥିଲା। ଆରମ୍ଭରେ ଶାନ୍ତିପୂର୍ଣ୍ଣ ଥିବା ପ୍ରତିବାଦ ପରେ ଉଗ୍ର ରୂପ ନେଇଥିଲା। କେତେକ ପ୍ରଦର୍ଶନକାରୀ ପୁଲିସ ଉପରକୁ ପଥର ଓ ଅନ୍ୟ ସାମଗ୍ରୀ ଫିଙ୍ଗିବା ସହ ଦୋକାନରେ ଭଙ୍ଗାରୁଜା କରିଥିଲେ ଏବଂ ରାସ୍ତାରେ ନିଆଁ ଲଗାଇଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍‌ ଓ ଜଳକାମାନ ବ୍ୟବହାର କରିଥିଲା।

ସ୍ଥିତିର ସମୀକ୍ଷା କଲେ ମେଲୋନି

ହିଂସାକାଣ୍ଡକୁ ନିନ୍ଦା କରିବା ସହ ମେଲୋନି କହିଛନ୍ତି ଯେ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବା ନାଗରିକଙ୍କ ଅଧିକାର, କିନ୍ତୁ ହିଂସା ଓ ଭଙ୍ଗାରୁଜାକୁ ଗ୍ରହଣ କରାଯାଇପାରିବ ନାହିଁ।

ସୋମବାର ରୋମ୍‌ର ପାଲାଜୋ ଚିଗିଠାରେ ହୋଇଥିବା ବୈଠକରେ ସରକାରଙ୍କ ପ୍ରମୁଖ ମନ୍ତ୍ରୀ, ପୁଲିସ ଓ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରଦର୍ଶନ ନାମରେ ହିଂସା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା ହୋଇଛି। ନାବାଳକଙ୍କ କ୍ଷେତ୍ରରେ ପ୍ରତିଷେଧମୂଳକ ଅଟକ ନିୟମକୁ କଡ଼ାକଡ଼ି କରିବା ସମେତ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଉପରେ ମଧ୍ୟ ବିଚାର ଚାଲିଛି।

ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି

ଇଟାଲୀରେ ଥିବା ଭାରତୀୟ ଦୂତାବାସ ସୋମବାର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଭିଡ଼ ହେଉଥିବା ସ୍ଥାନ ଏବଂ ଯେଉଁଠାରେ ପ୍ରଦର୍ଶନ ଚାଲିଛି, ସେହି ସ୍ଥାନଗୁଡ଼ିକୁ ଏଡ଼ାଇବା ସହ ସ୍ଥାନୀୟ ଖବର ଉପରେ ନଜର ରଖିବାକୁ କୁହାଯାଇଛି।

କୌଣସି ଜରୁରୀ ପରିସ୍ଥିତିରେ ଭାରତୀୟ ନାଗରିକମାନେ ରୋମ୍‌ସ୍ଥିତ ଭାରତୀୟ ଦୂତାବାସର ହେଲ୍ପଲାଇନ୍‌ ନମ୍ବର +୩୯ ୩୩୧ ୬୧୪ ୨୦୮୫ କିମ୍ବା ମିଲାନ୍‌ସ୍ଥିତ ଭାରତୀୟ କନସୁଲେଟ୍‌ର ନମ୍ବର +୩୯ ୩୮୮ ୧୬୪ ୭୫୨୭ରେ ଯୋଗାଯୋଗ କରିପାରିବେ।

କାହିଁକି ହେଉଛି ପ୍ରଦର୍ଶନ?

ଇଟାଲୀରେ ଜୀବନଯାପନ ଖର୍ଚ୍ଚ ବୃଦ୍ଧି ଏବଂ ସାର୍ବଜନୀନ ସେବାକୁ ନେଇ ଅସନ୍ତୋଷ ପ୍ରଦର୍ଶନର ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି। ମିଲାନ୍‌ ସମେତ ଉତ୍ତର ଇଟାଲୀର ଅନ୍ୟ କେତେକ ସହରରେ ମଧ୍ୟ ପ୍ରତିବାଦ ଓ ସଂଘର୍ଷ ଘଟିଛି। ପଡ଼ୋଶୀ ଫ୍ରାନ୍ସରେ ମଧ୍ୟ ଜୀବନଯାପନ ଖର୍ଚ୍ଚ ଓ ସାର୍ବଜନୀନ ସେବାକୁ ନେଇ ପ୍ରଦର୍ଶନ ହୋଇଥିବାରୁ ୟୁରୋପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି।

ଇଟାଲୀ ସରକାର ପରିସ୍ଥିତି ଉପରେ ନଜର ରଖିଥିବାବେଳେ ଆଗାମୀ ଦିନରେ ଆଇନଶୃଙ୍ଖଳା ରକ୍ଷା ପାଇଁ ନୂଆ ପଦକ୍ଷେପ ଘୋଷଣା ହେବାର ସମ୍ଭାବନା ରହିଛି।