ମୁମ୍ବାଇ: ଫ୍ଲାଏଦୁବାଇ ବିମାନରେ କକପିଟ୍‌ ଭିତରେ ଘଟିଥିବା ଆକ୍ରମଣ ସମୟରେ ଦେଖାଇଥିବା ସାହସ ପାଇଁ ଭାରତୀୟ ପାଇଲଟ୍‌ କ୍ୟାପ୍ଟେନ୍‌ ସ୍ମିତ ମଚ୍ଛରଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ଗୀତିକାର ଓ ଲେଖକ ଜାଭେଦ ଅଖତର। ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ ସେ ସ୍ମିତଙ୍କୁ ଏଭଳି ସାହସିକ କାର୍ଯ୍ୟ ପାଇଁ ‘ମହାବୀର ଚକ୍ର’ ଭଳି ସମ୍ମାନ ମିଳିବା ଉଚିତ ବୋଲି ମତ ଦେଇଛନ୍ତି।

ଜାଭେଦ ଅଖତର ଲେଖିଛନ୍ତି, “ସ୍ମିତ ମଚ୍ଛରଙ୍କୁ ସଲାମ! ନିଶ୍ଚିତ ଭାବେ ସେ ମହାବୀର ଚକ୍ର ଭଳି ସମ୍ମାନ ପାଇବାକୁ ଯୋଗ୍ୟ।” ତାଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ସ୍ମିତଙ୍କ ସାହସକୁ ନେଇ ଆଲୋଚନା ବଢ଼ିଛି।

କ’ଣ ଘଟିଥିଲା ବିମାନରେ?

ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ, ସହ-ପାଇଲଟ୍‌ କକପିଟ୍‌ରେ କ୍ୟାପ୍ଟେନ୍‌ ସ୍ମିତ ମଚ୍ଛରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ହୋଇଥିଲେ ମଧ୍ୟ ସ୍ମିତ କକପିଟ୍‌ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକପିଟ୍‌କୁ ପହଞ୍ଚି ସହ-ପାଇଲଟ୍‌ଙ୍କୁ କାବୁ କରିଥିଲେ। ବିମାନଟି ପରେ ସାଉଦି ଆରବର ତାବୁକ୍‌ରେ ଜରୁରୀ ଅବତରଣ କରିଥିଲା।

ବିମାନରେ ୧୭୪ ଯାତ୍ରୀ ଥିବା ରିପୋର୍ଟ ହୋଇଛି। ଘଟଣା ପରେ ସ୍ମିତ ମଚ୍ଛରଙ୍କୁ ଚିକିତ୍ସା ଦିଆଯାଇଛି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ମିତଙ୍କ ସହ ଭିଡିଓ କଲ୍‌ରେ କଥା ହୋଇ ତାଙ୍କ ସାହସ ଓ ତତ୍ପରତାର ପ୍ରଶଂସା କରିଛନ୍ତି।

କଥାବାର୍ତ୍ତା ସମୟରେ ସ୍ମିତ କହିଥିଲେ ଯେ ବିମାନ ତଳକୁ ଖସୁଥିବା ଅନୁଭବ କରିବା ପରେ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଶେଷ ପ୍ରୟାସରେ କକପିଟ୍‌ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ମୋଦୀ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଥିଲେ।