ନୂଆଦିଲ୍ଲୀ: ଖ୍ୟାତନାମା ପରିବେଶବିତ୍ ତଥା ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୋନମଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ମଙ୍ଗଳବାର ରାତିରେ ଦୁଇ ମନ୍ତ୍ରୀ ତାଙ୍କୁ ସାକ୍ଷାତ କରିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଦାନ୍ତକୁ ଅଣାଯାଇଛି ଏବଂ ଆଭ୍ୟନ୍ତରୀଣ ଚିକିତ୍ସା ବିଶେଷଜ୍ଞ ଡାକ୍ତର ସୁଶୀଳା କାଟାରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ICUରେ ରଖାଯାଇଛି।

୨୪ ଦିନରେ ଅନଶନ: ସଂଗ୍ରାମ ଜାରି ରଖିବାକୁ ଜିଦ୍

ଆନ୍ଦୋଳନରତ ଛାତ୍ର ନେତାମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସୋନମ ୱାଙ୍ଗଚୁକ ତାଙ୍କର ଅନିର୍ଦ୍ଦିଷ୍ଟ କାଳୀନ ଅନଶନ ଜାରି ରଖିଛନ୍ତି। ମଙ୍ଗଳବାର ସୁଦ୍ଧା ତାଙ୍କ ଅନଶନ ୨୪ ଦିନରେ ପହଞ୍ଚିଛି। ସଫଦରଜଙ୍ଗ ହସ୍ପିଟାଲରୁ ଲେଖିଥିବା ଏକ ହାତଲେଖା ଚିଠିରେ ସେ ସ୍ପଷ୍ଟ କରିଥିଲେ ଯେ, ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ସଂସଦ ଭବନରେ ସାଂସଦମାନଙ୍କୁ ଭେଟିବାକୁ ଦିଆଯାଉ କିମ୍ବା ସାଂସଦମାନେ ହସ୍ପିଟାଲ ଆସି ତାଙ୍କୁ ସାକ୍ଷାତ ନକରିବା ପର୍ଯ୍ୟନ୍ତ ସେ ଅନଶନ ଓହାରିବେ ନାହିଁ।

‘ସଂସଦ ଚଲୋ’ ପଦଯାତ୍ରା ସମୟରେ ଆନ୍ଦୋଳନକାରୀ ଛାତ୍ରମାନଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାଳନା, ଲୁହାବୁହା ଗ୍ୟାସ ପ୍ରୟୋଗ ଓ ନିର୍ଯାତନା ଅଭିଯୋଗକୁ ସଂସଦ ଗ୍ରହଣ ନକରିବା ପର୍ଯ୍ୟନ୍ତ ସୋନମ ଅନଶନ ବଜାୟ ରଖିବେ।

ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରି ଗୀତାଞ୍ଜଳି କହିଛନ୍ତି, “ପୋଲିସ ଟ୍ରକ ଭିତରକୁ ପଶି ଅଭିଜିତଙ୍କୁ ଜବରଦସ୍ତ ଉଠାଇ ନେବାକୁ ଚେଷ୍ଟା କରୁଥିଲା। ସେତେବେଳେ ଆମେ ମାନବ ଶୃଙ୍ଖଳ ଗଢ଼ି ସୁରକ୍ଷା ଦେଇଥିଲୁ। ଯଦି ନିଜ ସୁରକ୍ଷା ପାଇଁ ଛାତ୍ରମାନେ ଶୃଙ୍ଖଳିତ ବିରୋଧ କରୁଛନ୍ତି, ତେବେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଅନୁଚିତ।”

ମେଦାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ ହୋଇଥିବା ଏହି ଆଲୋଚନା ପରେ ଆଗାମୀ ଦିନରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।