ନୂଆଦିଲ୍ଲୀ: ଝାଡ଼ଖଣ୍ଡ କମ୍ବାଇନ୍ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୫ରେ ହୋଇଥିବା କଥିତ ଅନିୟମିତତାର ନିରପେକ୍ଷ ଓ ସମୟସୀମାବଦ୍ଧ ସିବିଆଇ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଏହି ଆବେଦନର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଝାଡ଼ଖଣ୍ଡ ସରକାର ଏବଂ ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC)କୁ ନୋଟିସ୍ ଜାରି କରିଛନ୍ତି।
ଆବେଦନକାରୀ ହରିଶରଣ ଦେବଗନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଏଥିରେ ୧୪ତମ ଜେପିଏସ୍ସି ପ୍ରିଲିମିନାରୀ ପରୀକ୍ଷା ସହ ଜଡ଼ିତ କଥିତ ଅନିୟମିତତାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ତଦନ୍ତ କରାଇବାକୁ ଦାବି କରାଯାଇଛି।
ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ତଦନ୍ତ ଦାବି
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର, ଝାଡ଼ଖଣ୍ଡ ସରକାର, JPSC ଏବଂ ଅନ୍ୟ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନନ କୁମାର ମିଶ୍ର ଅଦାଲତରେ ପକ୍ଷ ରଖିଥିଲେ। ଆବେଦନରେ ସିବିଆଇ ତଦନ୍ତ ସହିତ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ମଧ୍ୟ ତଦନ୍ତ କରାଇବାକୁ ବିକଳ୍ପ ଦାବି ରହିଛି।
ଓକିଲ ସତ୍ୟମ ସିଂହ ରାଜପୁତଙ୍କ ମାଧ୍ୟମରେ ହରିଶରଣ ଦେବଗନ ଏହି ଆବେଦନ ଦାଖଲ କରିଥିଲେ। JPSC ବିଜ୍ଞାପନ ନମ୍ବର ୧/୨୦୨୬ ଅନୁଯାୟୀ ୧୯ ଏପ୍ରିଲ ୨୦୨୬ରେ ହୋଇଥିବା ପ୍ରିଲିମିନାରୀ ପରୀକ୍ଷାର ପରିଚାଳନା ଓ ବିଶ୍ୱସନୀୟତା ନେଇ ଆବେଦନରେ ପ୍ରଶ୍ନ ଉଠାଯାଇଛି।




