ଭୋପାଳ: ଦେଶର ପ୍ରଥମ ନଦୀ ସଂଯୋଗ ପ୍ରକଳ୍ପ କେନ୍–ବେତୱାକୁ ବିରୋଧ କରି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଆଦିବାସୀ ଓ କୃଷକମାନଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଉଚିତ କ୍ଷତିପୂରଣ, ପୁନର୍ବାସ ଓ ଜୀବିକାର ସୁରକ୍ଷା ଦାବିରେ ଆନ୍ଦୋଳନକାରୀମାନେ ଜଳ ସତ୍ୟାଗ୍ରହ ସହ ପ୍ରତୀକାତ୍ମକ ‘ଚିତା ଆନ୍ଦୋଳନ’ ଏବଂ ‘ଫାଶୀ ସତ୍ୟାଗ୍ରହ’ କରି ପ୍ରତିବାଦ ଜଣାଇଥିଲେ। ତେବେ ଜୁଲାଇ ୩ରୁ ଚାଲିଥିବା ଏହି ଆନ୍ଦୋଳନକୁ ରବିବାର ଭୋରେ ପୁଲିସ ବଳପୂର୍ବକ ହଟାଇ ଦେଇଛି।
ଛତରପୁରର କୁପି ଗ୍ରାମ ନିକଟ ବରାନା ନଦୀ କୂଳରେ ଶହ ଶହ ପ୍ରକଳ୍ପ ପ୍ରଭାବିତ ପରିବାର ଏକତ୍ରିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଆଦିବାସୀ ମହିଳା ଥିଲେ। କେତେକ ମହିଳା ପ୍ରତୀକାତ୍ମକ କାଠ ଚିତା ଉପରେ ଶୋଇ ନିଜ ଜମି ଓ ଜଙ୍ଗଲ ହରାଇବାର ବେଦନା ପ୍ରକାଶ କରିଥିଲେ। ସେମାନଙ୍କ କହିବା ଅନୁସାରେ, ଜୀବିକା ହରାଇ ବଞ୍ଚିବା ଅପେକ୍ଷା ଚିତାରେ ଶୋଇବା ଭଲ।
ଆନ୍ଦୋଳନର ଅଷ୍ଟମ ଦିନରୁ କେତେକ ପ୍ରତିବାଦକାରୀ ବେକରେ ଦଉଡ଼ି ପିନ୍ଧି ପ୍ରତୀକାତ୍ମକ ଫାଶୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଜୟ କିଷାନ ସଙ୍ଗଠନର ନେତା ଅମିତ ଭଟ୍ଟନାଗର ଏହି ଆନ୍ଦୋଳନର ନେତୃତ୍ୱ ନେବା ସହ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ମଧ୍ୟ ଜାରି ରଖିଥିଲେ।
ରବିବାର ସକାଳେ ବହୁ ସଂଖ୍ୟକ ପୁଲିସ ଓ ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ହଟାଇଥିଲେ। ଅନଶନ ଯୋଗୁଁ ଅମିତ ଭଟ୍ଟନାଗରଙ୍କ ସ୍ୱାସ୍ଥ୍ୟ ଅବନତି ଘଟିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ପ୍ରଶାସନ ସୂଚନା ଦେଇଛି। ଆନ୍ଦୋଳନକାରୀମାନେ କେତେକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଥିବା ବେଳେ ଅତିରିକ୍ତ ଏସ୍ପି ଆଦିତ୍ୟ ପାଟ୍ଲେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ, କାହାକୁ ଗିରଫ କିମ୍ବା ଅଟକ ରଖାଯାଇନାହିଁ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବସ୍ ଯୋଗେ ନିଜ ଗାଁକୁ ପଠାଯାଇଛି।
ପୁଲିସର କହିବା ଅନୁଯାୟୀ, ନିର୍ମାଣାଧୀନ ସେତୁ ତଳେ ଓ ବରାନା ନଦୀ ଭିତରେ ଆନ୍ଦୋଳନ ଚାଲିଥିବା ବେଳେ ଜଳସ୍ତର ବଢ଼ୁଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରତିବାଦକାରୀଙ୍କୁ ସେଠାରୁ ହଟାଇବାକୁ ପଡ଼ିଥିଲା। ଅନ୍ୟପଟେ ଆନ୍ଦୋଳନକାରୀମାନେ ପ୍ରକଳ୍ପରେ ପ୍ରାୟ ୪୦୦ କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ ଦାବି, ଏ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବା ପୂର୍ବରୁ ପ୍ରଶାସନ ଆନ୍ଦୋଳନକୁ ଭାଙ୍ଗି ଦେଇଛି।
ପ୍ରାୟ ୪୪,୬୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନ୍–ବେତୱା ନଦୀ ସଂଯୋଗ ପ୍ରକଳ୍ପର ଲକ୍ଷ୍ୟ ହେଉଛି କେନ୍ ନଦୀର ଅତିରିକ୍ତ ଜଳକୁ ବେତୱା ନଦୀକୁ ସ୍ଥାନାନ୍ତର କରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମରୁଡ଼ି ପ୍ରବଣ ବୁନ୍ଦେଲଖଣ୍ଡ ଅଞ୍ଚଳରେ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇବା। କିନ୍ତୁ ପ୍ରକଳ୍ପ ଯୋଗୁଁ ବିସ୍ଥାପନ, କ୍ଷତିପୂରଣ, ପୁନର୍ବାସ ସମସ୍ୟା ସହ ପାନ୍ନା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ନେଇ ପ୍ରଭାବିତ ପରିବାରମାନେ ବିରୋଧ ଜାରି ରଖିଛନ୍ତି।




