ଗୁୱାହାଟୀ: ଆସାମର ଗୁୱାହାଟୀସ୍ଥିତ ଖାନାପାରା ଅଞ୍ଚଳରେ ଥିବା ଏକ ନାଇଟ୍କ୍ଲବ୍ରେ ଜଣେ ମହିଳାଙ୍କୁ ବିବସ୍ତ୍ର କରି ମାଡ଼ ମରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣାରେ ଆସାମ ପୋଲିସ ଶନିବାର ତଦନ୍ତ ଆରମ୍ଭ କରିଛି। ନାଇଟ୍କ୍ଲବ୍ର ମ୍ୟାନେଜରଙ୍କୁ ଅଟକ ରଖାଯାଇ ପୋଲିସ ଜେରା କରୁଥିବା ବେଳେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି।
ଶୁକ୍ରବାର ଦିନ ଖାନାପାରାର ‘ଦି ଲୋକାଲ୍ସ କାଫେ ଆଣ୍ଡ୍ ଲାଉଞ୍ଜ’ ରେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା କିଛି ଭିଡିଓ କ୍ଲିପ୍ରେ ଘଟଣାର ନୃଶଂସତା ଦେଖିବାକୁ ମିଳିଛି।
ଭିଡିଓରେ ଜଣେ ମହିଳା ତଳେ ବିବସ୍ତ୍ର ଅବସ୍ଥାରେ ପଡ଼ିଥିବା ବେଳେ ଦୁଇଜଣ ମହିଳା ବାଉନ୍ସର ତାଙ୍କୁ ଗୋଇଠା ମାରୁଛନ୍ତି ଓ ମାଡ଼ ମାରୁଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମହିଳାଙ୍କୁ ନାଇଟ୍କ୍ଲବ୍ର ଚତୁର୍ଥ ମହଲାରୁ ଆକ୍ରମଣ କରି ପାର୍କିଂ କିମ୍ବା ବେସମେଣ୍ଟ୍ ଅଞ୍ଚଳକୁ ନିଆଯାଇଥିଲା। ଭିଡିଓରେ ଦେଖାଯାଉଥିବା ପୀଡ଼ିତା ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ପୂର୍ବ ଗୁୱାହାଟୀ ଡିସିପି ତାବୁ ରାମ ପେଗୁଙ୍କ ସୂଚନା ଅନୁଯାୟୀ, ନାଇଟ୍କ୍ଲବ୍ ମ୍ୟାନେଜରଙ୍କୁ ଅଟକ ରଖାଯାଇଛି ଏବଂ ଉପଲବ୍ଧ ପ୍ରମାଣ ସଂଗ୍ରହ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପଟେ, ସୁରକ୍ଷା କର୍ମୀଙ୍କ ଦାବି ଅନୁଯାୟୀ, ମହିଳାଙ୍କ ପୋଷାକକୁ ନେଇ ମହିଳା ବାଉନ୍ସରଙ୍କ ସହ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ଏବଂ ପୀଡ଼ିତା ମହିଳାଜଣକ ପ୍ରଥମେ ବୋତଲରେ ବାଉନ୍ସରଙ୍କୁ ଆକ୍ରମଣ କରିଥିଲେ। ତେବେ ପୋଲିସ ଏହି ଦାବିର ନିରପେକ୍ଷ ଯାଞ୍ଚ କରୁଛି। ଘଟଣାକୁ ନେଇ ନାଇଟ୍କ୍ଲବ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ଆସିନାହିଁ।




