କଲିକତା: କଲିକତା ପୋଲିସର ପୂର୍ବତନ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ଅସୁବିଧା ଆହୁରି ବୃଦ୍ଧି ପାଇଛି। ନିଜ ପଦବୀର ଦୁରୁପଯୋଗ କରି ପ୍ରଚୁର ବେଆଇନ ଅର୍ଥ ଏବଂ ଉପହାର ଗ୍ରହଣ କରିଥିବା ଅଭିଯୋଗରେ ତାଙ୍କ ନାମରେ ଭ୍ରଷ୍ଟାଚାର ନିରୋଧୀ ଆଇନ, ୧୯୮୮ (Prevention of Corruption Act) ଅଧୀନରେ ଦକ୍ଷିଣ କଲିକତାର ଗାରିଆହାଟ ଥାନାରେ ଏକ ନୂତନ ମାମଲା ରୁଜୁ କରାଯାଇଛି।

୨.୮୦ କୋଟି ଟଙ୍କାର ଆର୍ଥିକ ହେରଫେର

ପୋଲିସର ସୂଚନାନୁସାରେ, ଶାନ୍ତନୁ ସିହ୍ନା ବିଶ୍ୱାସ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନଗଦ ଟଙ୍କା ଏବଂ ମୂଲ୍ୟବାନ ଉପହାର ଆକାରରେ ମୋଟ ୨.୮୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ହାସଲ କରିଛନ୍ତି।

ଏତଲାରେ ଦିଆଯାଇଥିବା ପ୍ରମୁଖ ଅଭିଯୋଗଗୁଡ଼ିକ ହେଲା:

  • ସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା: ଏକ ଘରୋଇ କମ୍ପାନୀରୁ ତାଙ୍କ ସ୍ତ୍ରୀଙ୍କୁ ଦରମା ଆକାରରେ ୭୪.୩୬ ଲକ୍ଷ ଟଙ୍କା ଦିଆଯାଇଛି।
  • ଅନାମଧେୟ ଫ୍ଲାଟ୍ କ୍ରୟ: ବେନାମୀ ଭାବେ ୮୨ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଫ୍ଲାଟ୍ କିଣାଯାଇଛି।
  • ପୁଅର କଲେଜ ଫି’ ଓ ଘର ମରାମତି: ନିଜ ପ୍ରଭାବ ଖଟାଇ ପୁଅର କଲେଜ ଫି’ ବାବଦକୁ ୨୦.୨୭ ଲକ୍ଷ ଟଙ୍କା ଉଠାଯାଇଛି। ଏହାସହ ମୁର୍ଶିଦାବାଦ କାନ୍ଦି ଅଞ୍ଚଳରେ ଥିବା ଘର ମରାମତି ନାମରେ ୬୧ ଲକ୍ଷ ଟଙ୍କା ଗ୍ରହଣ କରାଯାଇଛି।
  • ବ୍ୟବସାୟୀଙ୍କଠାରୁ ଅସୁଲି: ବିଭିନ୍ନ ସଂସ୍ଥାକୁ ସୁବିଧା ସୁଯୋଗ ଯୋଗାଇ ଦେବା ବାବଦରେ ଥରକେ ୧୦ ଲକ୍ଷ ଓ ଅନ୍ୟ ଥରକେ ୧୫ ଲକ୍ଷ ଟଙ୍କା ନିଆଯାଇଛି।

ନୂତନ ଅଭିଯୋଗ ଅନୁଯାୟୀ, ଗିରଫ ବ୍ୟବସାୟୀ ଜୟ କାମଦାରଙ୍କଠାରୁ ବିଶ୍ୱାସ ନଗଦ ଓ ଉପହାର ଆକାରରେ ୧୩ ଲକ୍ଷ ଟଙ୍କା ଏବଂ ସ୍ତ୍ରୀଙ୍କ ପାଇଁ ଉପହାର କିଣିବାକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ନେଇଥିଲେ।

ଜମି ଜବରଦଖଲ ଏବଂ ଆର୍ଥିକ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଗିରଫ ହେବା ପରେ ଶାନ୍ତନୁ ସିହ୍ନା ବିଶ୍ୱାସ ବର୍ତ୍ତମାନ ପଶ୍ଚିମ ମିଦିନାପୁର ଜିଲ୍ଲାର ମିଦିନାପୁର ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଅଛନ୍ତି।

ଗତ ଜୁଲାଇ ମାସରେ ଇଡି ତାଙ୍କ ବିରୋଧରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ୩ କୋଟି ଟଙ୍କାର ଆର୍ଥିକ ଘୋଟାଲା ଅଭିଯୋଗ ଆଣିଥିଲା। ‘ସୋନା ପାପ୍ପୁ’ ଓରଫ ବିଶ୍ୱଜିତ୍ ପୋଦ୍ଦାର ଏବଂ ବ୍ୟବସାୟୀ ଜୟ କାମଦାରଙ୍କ ମାଧ୍ୟମରେ କଲିକତାର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ କୋଟି ଟଙ୍କାର ଜମି ଜାଲିଆତି ହୋଇଥିବା ଇଡି ଆକଳନ କରିଛି। ଏହି ନୂତନ ଏତଲା ପୋଲିସ ଅଫିସରଙ୍କ ଆଇନଗତ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି।