ଚଣ୍ଡୀଗଡ଼: ପଞ୍ଜାବର ଶାସକ ଆମ୍ ଆଦମୀ ପାର୍ଟି (AAP) ମଧ୍ୟରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି। ଉତ୍ତର ଅମୃତସର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ଆଇପିଏସ୍ ଅଫିସର କୁଁଅର ବିଜୟ ପ୍ରତାପ ସିଂହ ସୋମବାର ଆପ୍ର ପ୍ରାଥମିକ ସଦସ୍ୟପଦ ଏବଂ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ପଞ୍ଜାବ ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଗତ ୪୮ ଘଣ୍ଟା ମଧ୍ୟରେ ଦଳର ତିନି ଜଣ ବିଧାୟକ ଇସ୍ତଫା ଦେବା ଆପ୍ ହାଇକମାଣ୍ଡଙ୍କ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ସିଂହ ମଜିଠିଆଙ୍କ ମନି ଲଣ୍ଡରିଂ ଓ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫଦାରୀକୁ ବିରୋଧ କରିବା ଏବଂ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୨୦୨୫ ଜୁନ୍ ମାସରେ ତାଙ୍କୁ ଆପ୍ରୁ ୫ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା।
ଇସ୍ତଫା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ‘X’ ରେ ସୂଚନା ଦେଇ କୁଁଅର ବିଜୟ ପ୍ରତାପ କହିଛନ୍ତି ଯେ ରାଜନୀତିରେ ‘ମାଈ-ବାପ୍’ ସଂସ୍କୃତିର ଅନ୍ତ ଘଟାଇ ଜନସାଧାରଣଙ୍କ ସେବା କରିବା ତାଙ୍କର ସବୁଠାରୁ ବଡ଼ ସଫଳତା। ସେ ନିଶା, ଗ୍ୟାଙ୍ଗଷ୍ଟର ଓ ଦୁର୍ନୀତିମୁକ୍ତ ପଞ୍ଜାବ ଗଠନ ପାଇଁ କାର୍ଯ୍ୟ କରିବେ ଏବଂ ତାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ‘ପଞ୍ଜାବ ଫାର୍ଷ୍ଟ’।
ସେ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ବିଧାନସଭାରେ ସେ ଅମୃତସରବାସୀଙ୍କ ଜଳ, ନିଷ୍କାସନ, ସରକାରୀ ମେଡିକାଲ କଲେଜ, ସରୂପ ରାଣୀ କଲେଜ ଏବଂ ବର୍ଗାଡ଼ି ବେଅଦବି ମାମଲା ଭଳି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉଠାଇଥିଲେ। ଏହା ପୂର୍ବରୁ ରବିବାର ସେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କ ଉପରେ ବର୍ଷିବା ସହ ଦଳ ନିଜର ମୂଳ ଆଦର୍ଶରୁ ଓହରି ଯାଇଥିବା ଅଭିଯୋଗ କରିଥିଲେ।
କୁଁଅର ବିଜୟ ପ୍ରତାପଙ୍କ ଇସ୍ତଫା ପୂର୍ବରୁ ରବିବାର ଦିନ ଆପ୍ର ଅନ୍ୟ ଦୁଇ ବିଧାୟକ ହରମୀତ ସିଂହ ପଠାଣମାଜରା ଏବଂ ଚେତନ ସିଂହ ଜୋଡାମାଜରା ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିଲେ:
- ହରମୀତ ସିଂହ ପଠାଣମାଜରା (ସନୋର ବିଧାୟକ): ବିବାଦ ଘେରରେ ଥିବା ପଠାଣମାଜରା ଅରବିନ୍ଦ କେଜ୍ରିୱାଲଙ୍କୁ ଇସ୍ତଫା ପତ୍ର ପଠାଇ ଦଳରୁ ଓହରି ଯାଇଛନ୍ତି।
- ଚେତନ ସିଂହ ଜୋଡାମାଜରା (ସମାଣା ବିଧାୟକ): ପୂର୍ବତନ ମନ୍ତ୍ରୀ ଜୋଡାମାଜରା ତାଙ୍କ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ଅକାଳୀ ନେତା ସୁରଜିତ ସିଂହ ରଖଡାଙ୍କୁ ଆପ୍ ଇନ୍ଚାର୍ଜ କରାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ।
୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ବିଧାୟକଙ୍କ ଏହି ଗୋଟିଏ ପରେ ଗୋଟିଏ ଇସ୍ତଫା ଦଳର ରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଛି।




