ଲଣ୍ଡନ: ବିଲାତରେ ଭାରତର ସୁନାମ କ୍ଷୁଣ୍ଣ କରିବାକୁ ଚାଲିଥିବା ଚକ୍ରାନ୍ତ ବିରୋଧରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚା ସାମ୍ନାରେ ଏକାଠି ହୋଇଛନ୍ତି ପ୍ରବାସୀ ଭାରତୀୟ। ମୋଦୀ ସରକାରଙ୍କ ସମର୍ଥନରେ ବାହାରିଥିବା ଏହି ଭାରତୀୟ ସମୁଦାୟର ସଦସ୍ୟମାନେ ସେଠାରେ ପ୍ରଦର୍ଶନ କରୁଥିବା ‘କାକରୋଚ୍ ଜନତା ପାର୍ଟି’ (CJP) କୁ ‘କନ୍‌ଫ୍ୟୁଜ୍‌ଡ୍ ଜନତା ପାର୍ଟି’ କହି କଠୋର ସମାଲୋଚନା କରିଛନ୍ତି।

ସମାବେଶରେ ଭାରତୀୟ ତ୍ରିରଙ୍ଗା ପତାକା ଉଡ଼ାଇ ‘ଭାରତ ମାତା କି ଜୟ’, ‘ଜୟ ଶ୍ରୀରାମ’ ଏବଂ ‘ମୋଦୀ-ମୋଦୀ’ ନାରାରେ ଲଣ୍ଡନ ଗଗନପବନ କମ୍ପିଉଠିଥିଲା। CJP ର ବିକ୍ଷୋଭରେ ପାକିସ୍ତାନ, ବାଂଲାଦେଶ ଏବଂ ପାଲେଷ୍ଟାଇନ୍ ନାଗରିକଙ୍କ ଉପସ୍ଥିତିକୁ ନେଇ ପ୍ରବାସୀ ଭାରତୀୟମାନେ ଗଭୀର ପ୍ରଶ୍ନ ଉଠାଇଛନ୍ତି।

ଲଣ୍ଡନରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଆମେ ଭାରତ ଏବଂ ମୋଦୀଜୀଙ୍କ ସମର୍ଥନରେ ଏଠାରେ ଏକାଠି ହୋଇଛୁ। ଆମ ସାମ୍ନାରେ CJP ନାମରେ ବିକ୍ଷୋଭ କରୁଥିବା ଲୋକମାନେ ପ୍ରକୃତରେ ‘କନ୍‌ଫ୍ୟୁଜ୍‌ଡ୍ ଜନତା ପାର୍ଟି’, କାରଣ ସେମାନେ ନିଜେ ଜାଣିନାହାନ୍ତି ସେମାନେ କ’ଣ କରୁଛନ୍ତି। ଭାରତର ଆଭ୍ୟନ୍ତରୀଣ ରାଜନୀତି ସହ ପାକିସ୍ତାନୀ, ବାଂଲାଦେଶୀ କିମ୍ବା ପାଲେଷ୍ଟାଇନୀୟଙ୍କର କ’ଣ ସମ୍ପର୍କ? ସେମାନେ ବିଦେଶୀ ଅର୍ଥରେ ସଞ୍ଚାଳିତ ହୋଇ ବିଦେଶ ମାଟିରେ ଭାରତର ସୁନାମ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।”

ଅନ୍ୟ ଜଣେ ପ୍ରବାସୀ କହିଛନ୍ତି ଯେ, ଭାରତୀୟ ରାଜନୀତି ଭାରତ ମଧ୍ୟରେ ସୀମିତ ରହିବା ଉଚିତ୍। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ଜିତିବାର ସାହସ ନଥିବା ଦଳଗୁଡ଼ିକ ବିଦେଶରେ ଏପରି ନାଟକ କରୁଛନ୍ତି। ତିନି ତିନି ଥର ଗଣତାନ୍ତ୍ରିକ ଭାବେ ନିର୍ବାଚିତ ମୋଦୀ ସରକାର ଓ ଭାରତର ଗଣତନ୍ତ୍ର ସହ ସାରା ବିଶ୍ୱର ଭାରତୀୟମାନେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ଏବଂ ସେମାନଙ୍କ ସହଯୋଗୀ ଦଳଗୁଡ଼ିକ ଭୋଟର ତାଲିକାର ସ୍ୱତନ୍ତ୍ର ନିବିଡ଼ ସଂଶୋଧନ କୁ ନେଇ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ମାମଲାରେ ସେମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ, ବିଦେଶ ମାଟିରେ ଏହାର କୁପ୍ରଭାବ ପକାଇବାକୁ ଉଦ୍ୟମ କରାଯାଉଥିବା ନେଇ ପ୍ରବାସୀ ଭାରତୀୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।