ରାୟଗଡ଼ା: ଓଡ଼ିଶାର ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ବ୍ରାଜିଲ୍ର ସାମୁଦାୟିକ ଶିକ୍ଷା କେନ୍ଦ୍ର ଆଦର୍ଶରେ ଜିଲ୍ଲାର ରାମନଗୁଡ଼ା ବ୍ଲକ୍ରେ ଏକ ଅତ୍ୟାଧୁନିକ ସୌରଚାଳିତ ଲାଇବ୍ରେରୀ ସ୍ଥାପନ କରାଯାଇଛି। ଏହି ଅଭିନବ ‘ପାଠନ କେନ୍ଦ୍ର’ ଏବେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଓ ସବୁଜ ଶକ୍ତି ର ସମନ୍ୱୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ପେନାକାମ ପଞ୍ଚାୟତରେ ପ୍ରତିଷ୍ଠା ହୋଇଥିବା ଏହି ପାଠନ କେନ୍ଦ୍ର, ଜିଲ୍ଲାର ଅନଗ୍ରସର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ଭିତ୍ତିଭୂମି ଯୋଗାଇଦେବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି।
ବ୍ରାଜିଲ୍ର ପ୍ରଗତିଶୀଳ ଗ୍ରାମାଞ୍ଚଳରେ ଦେଖାଯାଉଥିବା ଗ୍ରୁପ୍ ଷ୍ଟଡି ସେଣ୍ଟର ଭଳି ଏହି ଲାଇବ୍ରେରୀକୁ ଏକ ମୁକ୍ତ ଏବଂ ଛାତ୍ର ଅନୁକୂଳ ପରିବେଶରେ ଡିଜାଇନ୍ କରାଯାଇଛି। ଗ୍ରାମାଞ୍ଚଳରେ ପ୍ରାୟତଃ ଦେଖାଯାଉଥିବା ବିଦ୍ୟୁତ କାଟ ସମସ୍ୟାର ସମାଧାନ ପାଇଁ ଏହି କେନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ ସୌର ଶକ୍ତି ଦ୍ୱାରା ପରିଚାଳିତ କରାଯାଉଛି। ଫଳରେ ଏଠାରେ ପିଲାମାନେ ବିନା କୌଣସି ବାଧାରେ ନିରନ୍ତର ପାଠ ପଢ଼ିପାରୁଛନ୍ତି।ରାମନଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ସୌରଚାଳିତ ଶିକ୍ଷା କେନ୍ଦ୍ରର ନିର୍ମାଣ ପାଇଁ ୪.୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହାର ଭିତର ଭାଗକୁ ବେଶ୍ ଆକର୍ଷଣୀୟ ଓ ଆଧୁନିକ ରୂପ ଦିଆଯାଇଛି, ଯେଉଁଥିରେ ସୁନ୍ଦର ୱାଲ୍ ଆର୍ଟୱର୍କ ଏବଂ କାଚ ସ୍ଲାଇଡିଂ ଥିବା ବୁକ୍ସେଲଫ୍ ସ୍ଥାନ ପାଇଛି।
ଏହି ପାଠନ କେନ୍ଦ୍ରରେ ଛାତ୍ରଛାତ୍ରୀ ଏବଂ ଯୁବ ପାଠକମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା’ର ପୁସ୍ତକ, ସାଧାରଣ ଜ୍ଞାନ ବହି, ସାହିତ୍ୟ ପୁସ୍ତକ ମାଗଣାରେ ଉପଲବ୍ଧ କରାଯାଇଛି।
ଏହି ନୂତନ ସୁବିଧା ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ବିଶେଷ କରି ସନ୍ଧ୍ୟା ସମୟରେ ଅଧିକାଂଶ ପିଲା ଏଠାକୁ ଆସି ଗ୍ରୁପ୍ ଷ୍ଟଡି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି।




