ବହୁଚର୍ଚ୍ଚିତ ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଏହାର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଅଣାଯାଇଛି। ରବିବାର ସନ୍ଧ୍ୟାରେ CBIର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ମସ୍କଟରୁ ଭାରତ ଫେରାଇ ଆଣିଛି। ତାଙ୍କୁ ରାୟପୁରର CBI ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ। ଏହି ଘଟଣା ଛତିଶଗଡ଼ର ବହୁଚର୍ଚ୍ଚିତ ମହାଦେବ ବେଟିଂ ଆପ୍‌ ମାମଲାର ତଦନ୍ତରେ ଏକ ବଡ଼ ଅଗ୍ରଗତି ବୋଲି ମନେ କରାଯାଉଛି।

ଦୁଇଟି CBI ଓ ଗୋଟିଏ ED ମାମଲାରେ ଅଭିଯୁକ୍ତ

CBIର ସୂଚନା ଅନୁଯାୟୀ, ସୌରଭ ଚନ୍ଦ୍ରାକରଙ୍କ ବିରୋଧରେ ଦୁଇଟି ମାମଲାରେ ଚାର୍ଜଶିଟ୍‌ ଦାଖଲ ହୋଇସାରିଛି। ଏହା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ମାମଲାରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଛି।

ଭାରତ ଫେରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡ ମିଳିବା ପରେ ତାଙ୍କୁ ରାୟପୁର ନିଆଯାଇ CBI ସ୍ୱତନ୍ତ୍ର ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବ। ସୋମବାର ତାଙ୍କୁ ଅଦାଲତରେ ହାଜର କରାଯିବାର ଯୋଜନା ରହିଛି।

ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ନୋଟିସ୍‌ ଆଧାରରେ ଗିରଫ

CBI ଅନୁଯାୟୀ, ଇଣ୍ଟରପୋଲ୍‌ ଜାରି କରିଥିବା ରେଡ୍‌ କର୍ଣ୍ଣର ନୋଟିସ୍‌ ଆଧାରରେ ରୟାଲ୍‌ ଓମାନ ପୁଲିସ ସୌରଭଙ୍କୁ ଚିହ୍ନଟ କରି ଅଟକ ରଖିଥିଲା। ଏହା ପରେ CBI ଓ ED ପକ୍ଷରୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକ ଦସ୍ତାବିଜ ଓ ତଦନ୍ତ ସମ୍ପର୍କିତ ପ୍ରମାଣ ଓମାନ କର୍ତ୍ତୃପକ୍ଷଙ୍କୁ ପଠାଯାଇଥିଲା।

ଭାରତ ସରକାରଙ୍କ ବିଭିନ୍ନ ତଦନ୍ତକାରୀ ସଂସ୍ଥା, ଇଣ୍ଟରପୋଲ୍‌ ଏବଂ ଓମାନର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ସହଯୋଗ ପାଇଁ ଓମାନ ସରକାର ଓ ରୟାଲ୍‌ ଓମାନ ପୁଲିସକୁ CBI ଧନ୍ୟବାଦ ଜଣାଇଛି।

୬ ହଜାର କୋଟିର ବେଟିଂ ସିଣ୍ଡିକେଟ୍‌ ଅଭିଯୋଗ

ତଦନ୍ତକାରୀ ସଂସ୍ଥାଙ୍କ ଅଭିଯୋଗ ଅନୁଯାୟୀ, ମହାଦେବ ଅନଲାଇନ୍‌ ବୁକ୍‌ ଦେଶର ଏକ ବଡ଼ ଅବୈଧ ଅନଲାଇନ୍‌ ବେଟିଂ ନେଟ୍‌ୱର୍କ ଭାବେ କାର୍ଯ୍ୟ କରୁଥିଲା। ଏହି ନେଟ୍‌ୱର୍କ ଜରିଆରେ କ୍ରିକେଟ୍‌, ଫୁଟବଲ୍‌ ଓ ଅନ୍ୟାନ୍ୟ ଖେଳ ଉପରେ ବେଟିଂ କରାଯାଉଥିବା ଅଭିଯୋଗ ରହିଛି। ଦେଶର ବିଭିନ୍ନ ସ୍ଥାନରେ ଫ୍ରାଞ୍ଚାଇଜ୍‌ ପ୍ୟାନେଲ୍‌ ଓ ଶାଖା ମାଧ୍ୟମରେ ଏହି କାରବାର ଚାଲୁଥିବା ତଦନ୍ତରୁ ଜଣାପଡ଼ିଥିବା CBI କହିଛି।

ବେଟିଂରୁ ମିଳୁଥିବା ଟଙ୍କାକୁ ଅନେକ ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ଘୁରାଇ ହାୱାଲା ଚ୍ୟାନେଲ୍‌ ଜରିଆରେ ବିଦେଶକୁ ପଠାଯାଉଥିବା ଅଭିଯୋଗ ରହିଛି। ଏହା ସହ କାରବାରକୁ ବାଧାମୁକ୍ତ ରଖିବା ପାଇଁ କେତେକ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଅର୍ଥ ଦିଆଯାଇଥିବା ମଧ୍ୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।

ଛତିଶଗଡ଼ ସରକାରଙ୍କ ଅନୁରୋଧରେ ତଦନ୍ତ ଦାୟିତ୍ୱ ନେଇଥିଲା CBI

ଛତିଶଗଡ଼ ସରକାରଙ୍କ ଅନୁରୋଧ ପରେ CBI ମହାଦେବ ଅନଲାଇନ୍‌ ବୁକ୍‌ ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ଏହି ମାମଲାରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି ଓ ଦୁର୍ନୀତି ନିବାରଣ ଆଇନ ସମେତ ଛତିଶଗଡ଼ ଜୁଆ ନିଷେଧ ଆଇନର ବିଭିନ୍ନ ଧାରାରେ ଚାର୍ଜଶିଟ୍‌ ଦାଖଲ ହୋଇଛି।

ଉଲ୍ଲେଖଯୋଗ୍ୟ, ମାମଲାରେ ଚନ୍ଦ୍ରାକରଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ସମ୍ପତ୍ତି ମଧ୍ୟ ଜବତ ଓ ଅଟକ କରିଛି ED। ଏବେ ସୌରଭ ଚନ୍ଦ୍ରାକର ଭାରତ ଫେରିବା ପରେ ତଦନ୍ତରେ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।