ମୁମ୍ବାଇ: ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ (ATS) କୁ ମିଳିଛି ଏକ ବଡ଼ ସଫଳତା। ସାଂଘାତିକ ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ (JeM) ସହ ସମ୍ପର୍କ ରଖିବା ଏବଂ କଟ୍ଟରପନ୍ଥୀ ଚିନ୍ତାଧାରା ପ୍ରଚାର କରିବା ଅଭିଯୋଗରେ ମୁମ୍ବାଇର ମାହିମ ଅଞ୍ଚଳରୁ ଜଣେ ୩୩ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ମହମ୍ମଦ ହାସନ ଅବୁ ସରମଦ ଅଖତର ବୋଲି ଚିହ୍ନଟ ହୋଇଛି।

ଗୁପ୍ତ ସୂଚନା ଆଧାରରେ ମହାରାଷ୍ଟ୍ର ଏଟିଏସ୍‌ର କାଲାଚୌକି ୟୁନିଟ୍ ମାହିମ ମେଟ୍ରୋ ଷ୍ଟେସନ ନିକଟରୁ ମହମ୍ମଦ ହାସନକୁ କାବୁ କରିଥିଲା। ଅଭିଯୁକ୍ତ ଜଣକ ‘ରାପିଡୋ’ (Rapido) ରାଇଡର୍‌ ଏବଂ ଅତର ବିକ୍ରେତା ଭାବେ କାମ କରୁଥିଲା। ଏହି ବ୍ୟବସାୟ ଆଢ଼ୁଆଳରେ ସେ କଟ୍ଟରପନ୍ଥୀ ଏବଂ ଦେଶବିରୋଧୀ ମନୋଭାବ ପ୍ରସାର କରୁଥିଲା। ଅଭିଯୁକ୍ତ ଜଣକ ଏକ ଟେଲିଗ୍ରାମ୍ ଗ୍ରୁପ୍ ଚଲାଉଥିଲା, ଯେଉଁଥିରେ ସେ ଜୈଶ ସୁପ୍ରିମୋ ମାସୁଦ ଅଜହରର ବାବ୍ରି ମସଜିଦ୍ ସମ୍ପର୍କିତ ଉସ୍କାନିମୂଳକ ଭାଷଣ ଅପଲୋଡ୍ କରୁଥିଲା। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଚ୍ୟାନେଲ ‘IBN-e-Qasim’ ସହ ମଧ୍ୟ ତା’ର ସମ୍ପୃକ୍ତି ଥିବା ଜଣାପଡ଼ିଛି। ତା’ ମୋବାଇଲରୁ ଅନେକ ଆପତ୍ତିଜନକ ତଥ୍ୟ ଜବତ କରାଯାଇଛି।

ଏହି ଗିରଫଦାରୀ ପୂର୍ବରୁ ଗୁଜରାଟ ଏଟିଏସ୍ ଗୁଜରାଟର ପାଟଣ ଜିଲ୍ଲାରୁ ୫ ଜଣ ଜୈଶ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା।ସନ୍ଦିଗ୍ଧ ଅଭିଯୁକ୍ତମାନେ ଟାଇମ୍ ବୋମା ତିଆରି କରିବା ସହ ଆତଙ୍କବାଦୀ ସାହିତ୍ୟ ସଂଗ୍ରହ କରୁଥିବା ପୁଲିସ୍ ପ୍ରକାଶ କରିଥିଲା।ମୁମ୍ବାଇରୁ ଗିରଫ ହୋଇଥିବା ମହମ୍ମଦ ହାସନ ଏବଂ ଗୁଜରାଟରୁ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କୌଣସି ବଡ଼ ନେଟୱାର୍କ ରହିଛି କି ନାହିଁ, ସେ ନେଇ ଏଟିଏସ୍‌ ଜୋରଦାର ତଦନ୍ତ ଚଳାଇଛି।