କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଭାରତୀୟ ଜନତା ପାର୍ଟି (BJP) ର ପ୍ରଚଣ୍ଡ ବିଜୟ ହୋଇଥିବା ବେଳେ ତୃଣମୂଳ କଂଗ୍ରେସ (TMC) ପରାଜିତ ହୋଇଛି। ବିଜେପି ୨୦୬ଟି ଆସନରେ ଜିତିଥିବା ବେଳେ ଟିଏମସି ମାତ୍ର ୮୧ଟି ଆସନରେ ସୀମିତ ରହିଛି। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ସୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରୀୟ ସୁରକ୍ଷା ବଳ (CRPF) ତାଙ୍କୁ ଧକ୍କା ମାରିଛନ୍ତି ଏବଂ ମାଡ଼ ମାରିଛନ୍ତି। ଜଣେ ପ୍ରାର୍ଥୀ ହୋଇଥିବା ସତ୍ତ୍ୱେ ତାଙ୍କୁ ଗଣତି କେନ୍ଦ୍ର ଭିତରକୁ ଯିବାକୁ ଦିଆଯାଇ ନଥିଲା। ବିଜେପି ଉପରେ ବର୍ଷି ମମତା କହିଛନ୍ତି ଯେ, ବିଜେପି ଏକ “ଦାନବଙ୍କ ଦଳ” ଏବଂ ସେମାନେ ଟିଏମସିର ୧୦୦ରୁ ଅଧିକ ସିଟ୍ ଲୁଟି ନେଇଛନ୍ତି।

ସେ ନିର୍ବାଚନ କମିଶନଙ୍କୁ “ବିଜେପିର କମିଶନ” ବୋଲି କହିବା ସହ ସିଇଓ (CEO) ମନୋଜ ଅଗ୍ରୱାଲ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ମମତାଙ୍କ ଅନୁସାରେ, ବିଜେପିର ଏହି ବିଜୟ ଏକ ଅନୈତିକ ବିଜୟ। ନିର୍ବାଚନ କମିଶନ, କେନ୍ଦ୍ରୀୟ ବଳ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଶି ଯାହା କରିଛନ୍ତି ତାହା ସମ୍ପୂର୍ଣ୍ଣ ବେଆଇନ।

ଟିଏମସି ପକ୍ଷରୁ ଅଭିଯୋଗ ହୋଇଛି ଯେ, ନିର୍ବାଚନ କମିଶନ ନିରପେକ୍ଷତା ହରାଇଛନ୍ତି। ଅନେକ ସ୍ଥାନରେ ଜିତିବା ପରେ ମଧ୍ୟ ପ୍ରମାଣପତ୍ର (Certificate) ଦେବାକୁ ମନା କରାଯାଉଛି।