ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନ “ଫୁଲ ଓ ଘାସ”କୁ ଫ୍ରିଜ୍ (ସଗିତ) କରିବା ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଦଳର ସୁପ୍ରିମୋ ମମତା ବାନାର୍ଜୀ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନିକଟରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଦାବି କରାଯାଇଛି।
ମମତା ବାନାର୍ଜୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ ଯୁକ୍ତି ରଖିଥିଲେ ଯେ, ଉପ-ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ ନିର୍ବାଚନ କମିଶନ ଦଳର ନାମ ଓ ଚିହ୍ନକୁ ସ୍ଥଗିତ ରଖିଛନ୍ତି, ତେଣୁ ଏହାର ଜରୁରୀ ଶୁଣାଣି ଆବଶ୍ୟକ। ପ୍ରଧାନ ବିଚାରପତି CJI କାନ୍ତ କହିଛନ୍ତି ଯେ, ଏହି ମାମଲାରେ ଉଭୟ ପକ୍ଷର କହିବାର ଅଛି, ଦଳପତ୍ର ତାଲିକାଭୁକ୍ତ ହେବା ପରେ କୋର୍ଟ ଶୁଣାଣି ପାଇଁ ବିଚାର କରିବେ।
ଗୁରୁବାର ECI ଏକ ଅନ୍ତରୀଣ ଆଦେଶ ଦେଇ ଦୁଇ ଗୋଷ୍ଠୀଙ୍କୁ ଦଳର ମୂଳ ନାମ ଓ ଚିହ୍ନ ବ୍ୟବହାର କରିବାକୁ ବାରଣ କରିଥିଲେ। ଅକ୍ଟୋବର ୬ ରେ ନନ୍ଦୀଗ୍ରାମ ଓ ରେଜିନଗର ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ କମିଶନ ଅସ୍ଥାୟୀ ଭାବେ:
“ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ନାମ ଏବଂ “ଫୁଟବଲ୍ ଖେଳାଳି”ଚିହ୍ନ ପ୍ରଦାନ କରାଯାଇଛି।”ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ” ନାମ ଏବଂ “ଲଫାପା” ଚିହ୍ନ ଦିଆଯାଇଛି।
ଅନ୍ୟପଟେ, ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଅଲଗା ହୋଇ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ ସହ ହାତ ମିଶାଇଛନ୍ତି। ସେମାନଙ୍କ ବିରୋଧରେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଆବେଦନ କ୍ରମେ ସୁପ୍ରିମକୋର୍ଟ ସାଂସଦମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଦ୍ରୋହୀ ଗୋଷ୍ଠୀ ଦୁଇ-ତୃତୀୟାଂଶ ସାଂସଦଙ୍କ ସମର୍ଥନ ଥିବା ଦାବି କରୁଥିବା ବେଳେ ଅସଲି ଟିଏମସି କିଏ, ସେ ନେଇ ଆଇନଗତ ଲଢ଼େଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।




