ନାପିଦ୍ବ: ଗୃହଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ମିଆଁମାରରୁ ଏକ ଚମତ୍କାର ଖବର ସାମ୍ନାକୁ ଆସିଛି। ଦେଶର ପ୍ରସିଦ୍ଧ ମୋଗୋକ ଅଞ୍ଚଳରେ ଖଣି ଖନନ ସମୟରେ ୧୧ ହଜାର କ୍ୟାରେଟ୍‌ ବା ପ୍ରାୟ ୨.୧ କିଲୋଗ୍ରାମ ଓଜନର ଏକ ବିଶାଳ ମାଣିକ୍ୟ (ରୁବି) ଆବିଷ୍କୃତ ହୋଇଛି। ଏହାକୁ ମିଆଁମାରରେ ମିଳିଥିବା ଦ୍ୱିତୀୟ ବୃହତ୍ତମ ମାଣିକ୍ୟ ଭାବେ ଗଣାଯାଉଛି।

ଖବର ଅନୁଯାୟୀ, ଏହି ମାଣିକ୍ୟର ମୂଲ୍ୟ ଏପର୍ଯ୍ୟନ୍ତ ସରକାରୀଭାବେ ଆକଳନ କରାଯାଇନଥିଲେ ମଧ୍ୟ, ଏହାର ଗୁଣବତ୍ତା ଓ ଆକାରକୁ ଦେଖି କୋଟି କୋଟି ଟଙ୍କାର ହୋଇପାରେ ବୋଲି ଅନୁମାନ କରାଯାଉଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ମାଣିକ୍ୟର ଉଜ୍ଜ୍ୱଳତା ଓ ସ୍ୱଚ୍ଛତା ଅତ୍ୟନ୍ତ ଉତ୍କୃଷ୍ଟ ରହିଛି।

ମୋଗୋକ ଅଞ୍ଚଳକୁ ବିଶ୍ୱସ୍ତରରେ “ରତ୍ନପଥରର ରାଜଧାନୀ” ଭାବେ ପରିଚିତ କରାଯାଏ। ବିଶ୍ୱର ପ୍ରାୟ ୯୦ ପ୍ରତିଶତ ଉଚ୍ଚମାନର ମାଣିକ୍ୟ ମିଆଁମାରରୁ ମିଳିଥାଏ। ଏହି କାରଣରୁ ଆନ୍ତର୍ଜାତୀୟ ରତ୍ନପଥର ବଜାରରେ ମିଆଁମାରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି।

ତେବେ ଏହି ଚମକଦାର ଶିଳ୍ପ ପଛରେ ରହିଛି ଏକ କଠୋର ସତ୍ୟ। ଦୀର୍ଘଦିନ ଧରି ମିଆଁମାରର ରତ୍ନପଥର ବ୍ୟବସାୟକୁ ନେଇ ବିବାଦ ଲାଗିରହିଛି। ମାନବାଧିକାର ସଂଗଠନମାନେ ଅଭିଯୋଗ କରିଆସୁଛନ୍ତି ଯେ, ଏହି ଶିଳ୍ପରୁ ମିଳୁଥିବା ଆୟର ଏକ ବଡ଼ ଅଂଶ ସେନା ଓ ସଶସ୍ତ୍ର ଗୋଷ୍ଠୀଙ୍କ ପାଖକୁ ଯାଉଛି, ଯାହା ଦେଶର ଆଭ୍ୟନ୍ତରୀଣ ସଂଘର୍ଷକୁ ଆହୁରି ତୀବ୍ର କରୁଛି।

ଉଲ୍ଲେଖଯୋଗ୍ୟ ଯେ, ୧୯୯୬ ମସିହାରେ ମିଆଁମାରରୁ ୨୧,୪୫୦ କ୍ୟାରେଟର ଏକ ବିଶାଳ ମାଣିକ୍ୟ ମିଳିଥିଲା, ଯାହା ଏପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ଼ ମାଣିକ୍ୟ ଭାବେ ରେକର୍ଡରେ ରହିଛି।