ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଏବଂ ତାଙ୍କ ମା’ଙ୍କ ବିରୋଧରେ ରାଜ୍ୟ ବିଜେପି ସଭାପତି ନୟନାର ନାଗେନ୍ଦ୍ରନ କଟାକ୍ଷ ଓ ବିବାଦୀୟ ବକ୍ତବ୍ୟ ଦେବା ପରେ ରାଜ୍ୟ ରାଜନୀତିରେ ବଡ଼ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ରବିବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିକଟରେ ନାଗେନ୍ଦ୍ରନଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି।
ଅଭିଯୋଗକାରୀ ସମ୍ପୃକ୍ତ ଘଟଣାର ଡିଜିଟାଲ୍ ପ୍ରମାଣ (ଅଡିଓ ଓ ଭିଡିଓ) ସୁରକ୍ଷିତ ରଖିବା ସହ ନୟନାର ନାଗେନ୍ଦ୍ରନଙ୍କ ବିରୋଧରେ ମାନହାନି ଏବଂ ସାର୍ବଜନୀନ ଅଶାଳୀନ ଆଚରଣ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଶନିବାର ଚେନ୍ନାଇସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ‘କମଲାଲୟମ୍’ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ନାଗେନ୍ଦ୍ରନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିଧାନସଭା ବକ୍ତବ୍ୟକୁ ନେଇ କଟାକ୍ଷ କରିଥିଲେ। ବିଜୟ ବିଧାନସଭାରେ ନିଜ ବାପାଙ୍କ ସମ୍ପର୍କରେ ଦେଇଥିବା ବକ୍ତବ୍ୟକୁ ଟାର୍ଗେଟ୍ କରି ନାଗେନ୍ଦ୍ରନ କହିଥିଲେ, “ଯେଉଁମାନେ ନିଜ ବାପାଙ୍କ ବିଷୟରେ ଜାଣିବାକୁ ଉତ୍ସୁକ, ସେମାନେ ବିଧାନସଭାରେ ନ ପଚାରି ଘରେ ନିଜ ମା’ଙ୍କୁ ପଚାରିବା ଦରକାର।”
ମୁଖ୍ୟମନ୍ତ୍ରୀ ବିଜୟ ପୂର୍ବରୁ ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ଙ୍କୁ ଲକ୍ଷ୍ୟ କରି କହିଥିବା “କୁଟ୍ଟି କଥାଇ” (ସଂକ୍ଷିପ୍ତ ଗଳ୍ପ)ର ଜବାବ ଦେବାକୁ ଯାଇ ନାଗେନ୍ଦ୍ରନ ଏପରି ବକ୍ତବ୍ୟ ଦେଇଥିବା କୁହାଯାଉଛି। ମାତ୍ର ଏହି ବ୍ୟକ୍ତିଗତ ଟିପ୍ପଣୀକୁ ନେଇ ଏବେ ରାଜନୈତିକ ସୀମା ପାର୍ ହୋଇ ତୀବ୍ର ବିରୋଧ ଦେଖାଦେଇଛି।
ତାମିଲନାଡୁ ମନ୍ତ୍ରୀ ଏ. ରାଜମୋହନ ଏହାକୁ “ଅସଭ୍ୟ ଓ ଅସୌଜନ୍ୟମୂଳକ” ଆଖ୍ୟା ଦେଇଥିବା ବେଳେ ପୂର୍ବତନ ବିଜେପି ରାଜ୍ୟ ସଭାପତି କେ. ଅନ୍ନାମଲାଇ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଅନ୍ନାମଲାଇ କହିଛନ୍ତି ଯେ, ପରିବାର ଓ ମା’ଙ୍କୁ ଟାଣି ଏପରି ବ୍ୟକ୍ତିଗତ ଆକ୍ରମଣ କରିବା “ତଳ ସ୍ତରର ରାଜନୀତି” ଏବଂ ଏହା ଗଣତାନ୍ତ୍ରିକ ମର୍ଯ୍ୟାଦାର ସୀମା ଲଙ୍ଘନ କରୁଛି।
କେବଳ ବିରୋଧୀ ନୁହଁନ୍ତି, ବିଜେପି ଭିତରୁ ମଧ୍ୟ ନାଗେନ୍ଦ୍ରନଙ୍କ ଏହି ବକ୍ତବ୍ୟକୁ ସମାଲୋଚନା କରାଯାଇଛି। ପୋଲିସ ଏବେ ଘଟଣାର ଭିଡିଓ ଓ ଅଡିଓ ରେକର୍ଡିଂ ଯାଞ୍ଚ କରି ତଦନ୍ତ ପ୍ରକ୍ରିୟା ଆଗେଇ ନେଉଛି। ତାମିଲନାଡୁ ରାଜନୀତିରେ ନୀତିଗତ ଲଢ଼େଇ ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପ ବୃଦ୍ଧି ପାଉଥିବାରୁ ଏହା ରାଜ୍ୟର ରାଜନୈତିକ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଇଛି।




