ପୁଣେ: ବହୁଚର୍ଚ୍ଚିତ ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ବଡ଼ ସଫଳତା ମିଳିଛି। ତଦନ୍ତକାରୀ ସଂସ୍ଥା ଏହି ମାମଲାର କଥିତ ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣିଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି। କୁଲକର୍ଣ୍ଣି ଜଣେ ରସାୟନ ବିଜ୍ଞାନ ପ୍ରଫେସର ହେବା ସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ପରୀକ୍ଷା ପରିଚାଳନା ପ୍ରକ୍ରିୟା ସହ ଜଡିତ ଥିବା ସୂଚନା ମିଳିଛି।
ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ, ଲାତୁର ନିବାସୀ ପିଭି କୁଲକର୍ଣ୍ଣି ପୁଣେର ଏକ କଲେଜରେ ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପକ ଥିଲେ। ପୂର୍ବରୁ ସେ ଲାତୁରସ୍ଥିତ ଦୟାନନ୍ଦ କଲେଜରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ଏବଂ ଅବସର ନେଇସାରିଛନ୍ତି। ଏନ୍ଟିଏ ପକ୍ଷରୁ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ପ୍ରଶ୍ନପତ୍ର ସହ ତାଙ୍କର ସିଧାସଳଖ ସଂଯୋଗ ଥିବା ସନ୍ଦେହ କରାଯାଉଛି।
ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ବାଘମାରେଙ୍କୁ ପଚରାଉଚୁରା ବେଳେ ସିବିଆଇ କୁଲକର୍ଣ୍ଣିଙ୍କ ସଂପୃକ୍ତି ସମ୍ପର୍କରେ ସୂତ୍ର ପାଇଥିଲା। ପରେ ଦୀର୍ଘ ସମୟ ଧରି ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରାଯାଇଛି।
ତଦନ୍ତ ସଂସ୍ଥାର ସୂଚନା ଅନୁଯାୟୀ, ଏପ୍ରିଲ ୨୦୨୬ର ଶେଷ ସପ୍ତାହରେ କୁଲକର୍ଣ୍ଣି ଅନ୍ୟ ଅଭିଯୁକ୍ତ ମନୀଷା ବାଘମାରେଙ୍କ ସହଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ଏକାଠି କରିଥିଲେ। ପୁଣେରେ ନିଜ ଘରେ ସ୍ୱତନ୍ତ୍ର କୋଚିଂ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ସହ ଜଡିତ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ରହିଛି। ମନୀଷା ବାଘମାରେଙ୍କୁ ପୂର୍ବରୁ ପୁଲିସ ଗିରଫ କରିସାରିଛି।
ଉଲ୍ଲେଖଯୋଗ୍ୟ, ନିଟ୍-ୟୁଜି ପରୀକ୍ଷା ମେ’ ୩ ତାରିଖରେ ଦେଶବ୍ୟାପୀ ୪ ହଜାରରୁ ଅଧିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପରେ ପେପର ଲିକ୍ ଅଭିଯୋଗ ଆସିବା ପରେ ସରକାର ପରୀକ୍ଷାକୁ ବାତିଲ କରିଥିଲେ। ବର୍ତ୍ତମାନ ପୁନଃପରୀକ୍ଷା ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ନିର୍ଦ୍ଧାରିତ ହୋଇଛି।




