ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘NEET-UG 2026’ ର ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କୁ ମିଳିଛି ଏକ ବଡ଼ ସଫଳତା। ଏହି ଘଟଣାରେ ସିବିଆଇ ନବମ ଅଭିଯୁକ୍ତ ଭାବେ ପୁଣେର ଜଣେ ବୋଟାନି (ଉଦ୍ଭିଦ ବିଜ୍ଞାନ) ଶିକ୍ଷୟିତ୍ରୀଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫ ହୋଇଥିବା ଶିକ୍ଷୟିତ୍ରୀ ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ଜାତୀୟ ପରୀକ୍ଷା ସଂସ୍ଥା (NTA) ପକ୍ଷରୁ ଜଣେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା।
ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ପୂର୍ବରୁ ମନୀଷା ମାନ୍ଧାରେ ବାୟୋଲୋଜି (ଜୀବବିଜ୍ଞାନ)ର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛାତ୍ରଛାତ୍ରୀମାନଙ୍କୁ ପ୍ରଘଟ କରିଦେଇଥିଲେ। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ୱାଗମାରେଙ୍କ ଜରିଆରେ ଶିକ୍ଷୟିତ୍ରୀ ଜଣକ ପରୀକ୍ଷାର୍ଥୀମାନଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସେ ନିଜ ଘରେ ସ୍ୱତନ୍ତ୍ର କୋଚିଂ କ୍ଲାସ୍ ଆୟୋଜନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକରେ ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକୁ ଚିହ୍ନଟ କରିବାକୁ ଏବଂ ଖାତାରେ ଲେଖିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରଶ୍ନଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରକୃତ NEET ପରୀକ୍ଷା ପେପର ସହ ମିଳିଯାଇଥିଲା।
ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ସିବିଆଇ ପକ୍ଷରୁ ଦେଶର ୬ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ସମୟରେ ଅନେକ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ କେତେକ ଆପତ୍ତିଜନକ ଦଲିଲ୍ ଜବତ କରାଯାଇଛି, ଯାହାର ଏବେ ଯାଞ୍ଚ ଚାଲିଛି।
ଏହି ମେଗା ସ୍କାମରେ ସିବିଆଇ ଏପର୍ଯ୍ୟନ୍ତ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ ଏବଂ ଅହଲିଆନଗରରୁ ମୋଟ ୯ ଜଣଙ୍କୁ ଗିରଫ କଲାଣି। ଏମାନଙ୍କ ମଧ୍ୟରୁ ୫ ଜଣ ଏବେ ପୋଲିସ ହେପାଜତରେ ଥିବାବେଳେ ଅନ୍ୟମାନଙ୍କୁ ପଚରାଉଚରା କରାଯାଉଛି।




