ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬କୁ ନେଇ ଚାଲିଥିବା ବିବାଦ ଆହୁରି ଗଭୀର ହୋଇଛି। ପେପର ଲିକ୍ ଅଭିଯୋଗ ପରେ ପରୀକ୍ଷା ବାତିଲ ହେବା ସହ ଏବେ ଏହି ଘଟଣା ପଛରେ ଥିବା ଏକ ବଡ଼ ଆନ୍ତଃରାଜ୍ୟ ଅପରାଧିକ ନେଟୱର୍କର ପର୍ଦାଫାସ ହୋଇଛି। ମହାରାଷ୍ଟ୍ରର ନାଶିକକୁ ଏହି ପ୍ରଶ୍ନପତ୍ର ଲିକ୍ ରାକେଟର କେନ୍ଦ୍ରବିନ୍ଦୁ ବୋଲି ତଦନ୍ତକାରୀ ସଂସ୍ଥା ଚିହ୍ନଟ କରିଛି। ରାଜସ୍ଥାନର ସିକରରୁ ଆରମ୍ଭ କରି ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଏହି ଚକ୍ରର ପ୍ରଭାବ ପହଞ୍ଚିଥିବା ଜଣାପଡିଛି।
ତଦନ୍ତରୁ ସାମ୍ନାକୁ ଆସିଛି ଯେ, ଏକ ସୁରକ୍ଷିତ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ରର ହାର୍ଡ କପି ଚୋରି କରାଯାଇଥିଲା। ଏହି ମାମଲାରେ ଭୋପାଳର ଜଣେ ମେଡିକାଲ ଛାତ୍ର ଶୁଭମ ଖୈରନାରଙ୍କୁ ନାଶିକରୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଜବତ ହୋଇଥିବା ହାତଲେଖା ‘ସମ୍ଭାବ୍ୟ ପେପର’ରେ ୪୧୦ଟି ପ୍ରଶ୍ନ ଓ ଉତ୍ତର ଥିବାବେଳେ, ଅସଲି ପରୀକ୍ଷାର ୧୫୦ଟି ପ୍ରଶ୍ନ ମଧ୍ୟରୁ ୧୨୦ଟି ପ୍ରଶ୍ନ ସେହି ଡକ୍ୟୁମେଣ୍ଟ ସହ ମେଳ ଖାଇଥିବା ଏସ୍ଓଜି ତଦନ୍ତରେ ସ୍ପଷ୍ଟ ହୋଇଛି।
ପ୍ରଶ୍ନପତ୍ର ହାସଲ କରିବା ପରେ ଶୁଭମ ଏହାକୁ ପିଡିଏଫ୍ ଆକାରରେ ହରିୟାଣାର ଗୁରୁଗ୍ରାମରେ ଥିବା ତାଙ୍କ ସହଯୋଗୀଙ୍କୁ ପଠାଇଥିଲେ। ସେଠାରୁ ଏକ ସଂଗଠିତ ନେଟୱର୍କ ମାଧ୍ୟମରେ ପ୍ରଶ୍ନପତ୍ର ସାରା ଦେଶରେ ପ୍ରସାରିତ ହୋଇଥିଲା। ଅପରାଧୀମାନେ ‘ପ୍ରାଇଭେଟ୍ ମାଫିଆ’ ନାମରେ ଗୁପ୍ତ ହ୍ୱାଟସ୍ଆପ୍ ଗ୍ରୁପ୍ ଚଳାଉଥିଲେ। ଏହି ଗ୍ରୁପ୍ରେ ଯୋଗ ଦେବା ଓ ପ୍ରଶ୍ନପତ୍ର ପାଇବା ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଠାରୁ ୫ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା।
ରାଜସ୍ଥାନର ଶିକ୍ଷା ହବ୍ ସିକରରେ ଏହି ନେଟୱର୍କର ପ୍ରଭାବ ସବୁଠାରୁ ଅଧିକ ଥିବା ଜଣାପଡିଛି। ସେଠାରେ ଜଣେ କାଉନସେଲର୍ ପ୍ରାୟ ୫ ଲକ୍ଷ ଟଙ୍କା ଦେଇ ପ୍ରଶ୍ନପତ୍ର କିଣିଥିବା ଓ ପରେ ଏହାକୁ ବିଭିନ୍ନ କୋଚିଂ ସେଣ୍ଟର ଓ ପିଜି ହଷ୍ଟେଲ ମାଧ୍ୟମରେ ବିକ୍ରି କରାଯାଇଥିବା ତଦନ୍ତରେ ଜଣାପଡିଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଏସ୍ଓଜି ଦେଶର ବିଭିନ୍ନ ରାଜ୍ୟର ୨୪ ଜଣଙ୍କୁ ପଚରାଉଚରା କରିଥିବାବେଳେ, ମହାରାଷ୍ଟ୍ର, ହରିୟାଣା, ବିହାର, କେରଳ, ଉତ୍ତରାଖଣ୍ଡ ଓ ରାଜସ୍ଥାନର ୪୫ରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି।
ଏହି ଚକ୍ରରେ କେବଳ ପ୍ରଶ୍ନପତ୍ର ବିକ୍ରେତା ନୁହେଁ, ଉତ୍ତର ପ୍ରଦାନକାରୀ ଓ ଅନ୍ୟ ନାମରେ ପରୀକ୍ଷା ଦେଉଥିବା ଜାଲିଆତିକାରୀମାନେ ମଧ୍ୟ ସାମିଲ ଥିବା ତଦନ୍ତରୁ ଜଣାପଡିଛି। ସିକରର ଏନ୍ଡିଏ କୋଅର୍ଡିନେଟର ନରସୀ ରାମ କହିଛନ୍ତି ଯେ, ପରୀକ୍ଷା ପରେ ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ ସେମାନେ ପୂର୍ବରୁ ଦେଖିଥିବା ‘ସମ୍ଭାବ୍ୟ ପେପର’ ସହ ଅସଲି ପ୍ରଶ୍ନପତ୍ରର ଅନେକ ପ୍ରଶ୍ନ ମେଳ ଖାଉଛି।
ଏହି ମାମଲାର ଗୁରୁତ୍ୱକୁ ଦେଖି କେନ୍ଦ୍ର ସରକାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସିବିଆଇ ଏକ ଆନୁଷ୍ଠାନିକ ଏଫ୍ଆଇଆର୍ ରୁଜୁ କରି ବିଭିନ୍ନ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇଛି। ଆପରାଧିକ ଷଡଯନ୍ତ୍ର, ଜାଲିଆତି, ଚୋରି, ବିଶ୍ୱାସଘାତକତା ଓ ପ୍ରମାଣ ନଷ୍ଟ ଭଳି ଗୁରୁତର ଦଫା ଅଧୀନରେ ମାମଲା ରୁଜୁ ହୋଇଛି। ଏହାସହ ‘ସର୍ବସାଧାରଣ ପରୀକ୍ଷା (ଅସାଧୁ ଉପାୟ ପ୍ରତିରୋଧ) ଆଇନ-୨୦୨୪’ ଅନୁଯାୟୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉଛି।
ସିବିଆଇ ସନ୍ଦେହ କରୁଛି ଯେ, ଏହି ଘଟଣାରେ କିଛି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ମଧ୍ୟ ଥାଇପାରେ। ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସମସ୍ତ ଦଲିଲ ଓ ପରୀକ୍ଷା ସମ୍ପର୍କିତ ତଥ୍ୟ ସିବିଆଇକୁ ହସ୍ତାନ୍ତର କରୁଥିବାବେଳେ, ପରୀକ୍ଷା ପରିଚାଳନା ସହ ଜଡିତ ଅଧିକାରୀମାନଙ୍କ ବୟାନ ମଧ୍ୟ ଖୁବ୍ଶୀଘ୍ର ରେକର୍ଡ କରାଯିବ।




