ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଅଭିଯୁକ୍ତ ଡାକ୍ତର ମନୋଜ ଭଗବାନରାଓ ଶିରୁରେଙ୍କ ଜାମିନ ଆବେଦନକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତରେ ଦୃଢ଼ ଭାବେ ବିରୋଧ କରିଛି। ସିବିଆଇର ମତାନୁସାରେ, ଏହା କେବଳ ଜଣେ ବ୍ୟକ୍ତି ବିରୋଧରେ ନୁହେଁ, ବରଂ ଦେଶର ପରୀକ୍ଷା ବ୍ୟବସ୍ଥା ଓ ବିଶ୍ୱସନୀୟତା ବିରୋଧରେ ଘଟିଥିବା ଏକ ଗୁରୁତର ଅପରାଧ।
ସ୍ୱତନ୍ତ୍ର ସିବିଆଇ ବିଚାରପତି ଅଜୟ ଗୁପ୍ତ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ଆସନ୍ତା ଜୁଲାଇ ୨୨ରେ ଅଦାଲତ ରାୟ ପ୍ରକାଶ କରିବେ।
ଶୁଣାଣି ବେଳେ ସିବିଆଇ ପକ୍ଷରୁ ବରିଷ୍ଠ ସରକାରୀ ଓକିଲ ନୀତୁ ସିଂହ କହିଥିଲେ ଯେ, ପ୍ରଶ୍ନପତ୍ର ଲିକ୍ ଘଟଣା ଯୋଗୁଁ ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା। ଏଥିରୁ ସରକାରଙ୍କ ପ୍ରାୟ ୬୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ବେଳେ ଭାରତ ଓ ବିଦେଶରେ ପରୀକ୍ଷା ଦେଇଥିବା ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ମଧ୍ୟ ପ୍ରଭାବିତ ହୋଇଥିଲା।
ସିବିଆଇ ଅଦାଲତଙ୍କୁ ଆହୁରି କହିଛି ଯେ, ଏପରି ସଂଗଠିତ ଅପରାଧ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିଥାଏ। ତେଣୁ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଅଭିଯୁକ୍ତଙ୍କୁ ଜାମିନ ଦେବା ଉଚିତ ହେବ ନାହିଁ ବୋଲି ସିବିଆଇ ଦାବି କରିଛି।




