ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟା ପରେ ଏବେବି ୩୨୦ ଜଣ ଭାରତୀୟ ନିଖୋଜ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ମୃତ୍ୟୁସଂଖ୍ୟା ୫୪୭ରେ ପହଞ୍ଚିଥିବାବେଳେ ପ୍ରାୟ ୧୪୦୦ ଜଣ ନିଖୋଜ ଅଛନ୍ତି। ନିଖୋଜ ଭାରତୀୟଙ୍କ ମଧ୍ୟରୁ ୨୯୦ ଜଣଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ତ୍ରିଶୁଲି-୧ ଜଳବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ୬୩ ଜଣ ଏବଂ ତାମିଲନାଡୁର ୨୧ ଜଣ ଶ୍ରମିକଙ୍କ ସମେତ ମୋଟ ୮୪ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ମାନସରୋବର ଯାତ୍ରାରେ ଯାଉଥିବା ପ୍ରାୟ ୨୦୦ ଜଣ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି।

ନେପାଳରେ ମୋଟ ୯୧୦ ଜଣଙ୍କ ସହ ଯୋଗାଯୋଗ ହୋଇପାରୁନଥିବାବେଳେ ସେମାନଙ୍କ ମଧ୍ୟରେ ୫୧୭ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ଏହି ସମୟରେ ନେପାଳରେ ଥିବା ଭାରତୀୟଙ୍କ ଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ ଜାରି ରହିଛି।

୨୧ ଭାରତୀୟ ଫେରିଲେ ଦେଶ

ଶୁକ୍ରବାର ନେପାଳରୁ ଉଦ୍ଧାର ହୋଇଥିବା ତାମିଲନାଡୁର ୨୧ ଜଣ ଭାରତୀୟ ଦେଶକୁ ଫେରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସେମାନଙ୍କୁ ସ୍ୱାଗତ କରିଥିଲେ।

ଏହାପୂର୍ବରୁ ନେପାଳରେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତରିତ ଭାରତୀୟ ପର୍ଯ୍ୟଟକଙ୍କୁ ଭେଟିଥିଲେ। ଭାରତୀୟ ଦୂତାବାସର ମୁଖପାତ୍ରଙ୍କ ଅନୁଯାୟୀ, ଶୁକ୍ରବାର ଅପରାହ୍ଣରେ ଇଣ୍ଡିଗୋର ୬ଇ୧୨୫୪ ବିମାନରେ କାଠମାଣ୍ଡୁ ଛାଡ଼ିଥିବା ଭାରତୀୟ ନାଗରିକଙ୍କୁ ବିଦାୟ ଦେବା ପାଇଁ ରାଷ୍ଟ୍ରଦୂତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ।

ଚୀନ୍ ପାର୍ଶ୍ୱରେ ୪୦୦ ଭାରତୀୟ ସୁରକ୍ଷିତ

ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳରୁ ୮୫ ଜଣ ଭାରତୀୟଙ୍କ ସମେତ ଅତିକମ୍‌ରେ ୧୨୧ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଚୀନ୍ ପାର୍ଶ୍ୱରେ ପ୍ରାୟ ୪୦୦ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି। ଏହା ସହିତ ସେଠାରେ ଫସି ରହିଥିବା ୯୬ ଜଣ ଭାରତୀୟ ସ୍ଥଳପଥ ଦେଇ ନେପାଳରେ ପ୍ରବେଶ କରିଥିବା ସେ ସୂଚନା ଦେଇଛନ୍ତି। ନିଖୋଜ ଭାରତୀୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଉଭୟ ଭାରତୀୟ ଦୂତାବାସ ଓ ନେପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି।