କାଠମାଣ୍ଡୁ: ନେପାଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଉଦ୍ଧାର ହୋଇଥିବା ଅଜ୍ଞାତ ମୃତଦେହଗୁଡ଼ିକୁ ନେଇ ବଢ଼ିଛି ସଙ୍କଟ। ଶବଗୃହରେ ଆଉ ସ୍ଥାନ ନଥିବା ଏବଂ ମୃତଦେହଗୁଡ଼ିକ ପଚିବା ଆରମ୍ଭ କରିଥିବାରୁ ନେପାଳ ସରକାର ଡିଏନ୍‌ଏ ନମୁନା ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ ପରେ ଅଜ୍ଞାତ ମୃତଦେହଗୁଡ଼ିକୁ କବର ଦେବା ଆରମ୍ଭ କରିଛନ୍ତି।

ମୃତଦେହ ପଚିଯିବା ଏବଂ ଦୁର୍ଗନ୍ଧ ଯୋଗୁଁ ସଂକ୍ରମଣର ଆଶଙ୍କା ଥିବାରୁ ‘ନେପାଳ ଅଜ୍ଞାତ ଓ ଦାବିହୀନ ମୃତଦେହ ପରିଚାଳନା ନିର୍ଦ୍ଦେଶାବଳୀ-୨୦୨୬’ ଅନୁଯାୟୀ ଏହି ପଦକ୍ଷେପ ନିଆଯାଉଛି। ତେବେ ଭବିଷ୍ୟତରେ ପରିବାର ଲୋକେ ନିଜ ପ୍ରିୟଜନଙ୍କୁ ଚିହ୍ନଟ କରିପାରିବେ, ସେଥିପାଇଁ ପ୍ରତ୍ୟେକ ମୃତଦେହର ଡିଏନ୍‌ଏ ନମୁନା, ଫଟୋ, ପୋଷାକ, ଅଳଙ୍କାର ଏବଂ ଶରୀରର ବିଶେଷ ଚିହ୍ନ ସମ୍ପର୍କିତ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି। ସମସ୍ତ ତଥ୍ୟକୁ ଏକ ନିର୍ଦ୍ଦିଷ୍ଟ ରେଫରେନ୍ସ ନମ୍ବର ସହ ସଂରକ୍ଷିତ ରଖାଯାଉଛି।

ନେପାଳ ପୁଲିସ ସୋସିଆଲ ମିଡିଆ ଏବଂ ୱେବସାଇଟ୍‌ ଜରିଆରେ ଅଜ୍ଞାତ ମୃତଦେହଗୁଡ଼ିକର ତଥ୍ୟ ସାର୍ବଜନୀନ କରିଛି। ଏଥିରେ କ୍ୟୁଆର୍‌ କୋଡ୍‌ ମଧ୍ୟ ବ୍ୟବହାର କରାଯାଇଛି, ଯାହା ମାଧ୍ୟମରେ ପରିବାର ଲୋକେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଖୋଜିପାରିବେ।

ନେପାଳ ସରକାରଙ୍କ ସୂଚନା ଅନୁଯାୟୀ, କେବଳ ଅଜ୍ଞାତ ଓ ଦାବିହୀନ ମୃତଦେହକୁ ସରକାରୀ ବ୍ୟବସ୍ଥାରେ କବର ଦିଆଯାଉଛି। ଚିହ୍ନଟ ହୋଇଥିବା ମୃତଦେହଗୁଡ଼ିକୁ ଆତ୍ମୀୟସ୍ୱଜନଙ୍କୁ ହସ୍ତାନ୍ତର କରାଯାଉଛି। ଚିତୱନର ଭରତପୁରସ୍ଥିତ ଦେବଘାଟରେ ଜରୁରୀକାଳୀନ ଭାବେ କବର ଦିଆଯାଉଥିବା ବେଳେ ପୋଖରା, ପାଲପା, ରୂପନ୍ଦେହୀ ଓ କାଠମାଣ୍ଡୁରେ ମଧ୍ୟ ଅତିରିକ୍ତ ସ୍ଥାନ ଚିହ୍ନଟ କରାଯାଉଛି।

ମୃତଦେହ ଚିହ୍ନଟ ଓ ଡିଏନ୍‌ଏ ନମୁନା ସଂଗ୍ରହ ପାଇଁ ଫୋରେନ୍ସିକ୍ ବିଶେଷଜ୍ଞ ଏବଂ ଡେଣ୍ଟାଲ୍‌ ସର୍ଜନଙ୍କ ସମେତ ୪୦ ଜଣିଆ ଡାକ୍ତରୀ ଟିମ୍‌ ନିୟୋଜିତ ଅଛନ୍ତି। ସ୍ୱାସ୍ଥ୍ୟ ସଙ୍କଟକୁ ରୋକିବା ସହ ଭବିଷ୍ୟତରେ ମୃତଦେହ ଚିହ୍ନଟର ସୁଯୋଗ ରଖିବା—ଏହି ଦୁଇଟି ଦିଗକୁ ନଜରରେ ରଖି ପ୍ରଶାସନ ପଦକ୍ଷେପ ନେଉଛି।

ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୮ଟି ଜିଲ୍ଲାରୁ ୭୩୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ମାତ୍ର ୨୦ଟି ମୃତଦେହ ଚିହ୍ନଟ ହୋଇପାରିଛି। ଚିତୱନରୁ ସର୍ବାଧିକ ୨୫୯ଟି ମୃତଦେହ ମିଳିଛି। ସେହିପରି ନବଲପରାସୀ ପୂର୍ବରୁ ୧୮୪, ନବଲପରାସୀ ପଶ୍ଚିମରୁ ୮୨, ଗୋରଖାରୁ ୫୮, ନୁୱାକୋଟରୁ ୫୨, ଧାଡିଂରୁ ୫୦, ତନାହୁନରୁ ୩୬ ଏବଂ ରସୁୱାରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୨,୫୦୦ ଲୋକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି।

ନେପାଳ-ତିବ୍ବତ ସୀମାନ୍ତରେ ହିମଖଣ୍ଡ ଭୁଷୁଡ଼ିବା ପରେ ଭୋଟେକୋଶୀ ଓ ତ୍ରିଶୂଳୀ ନଦୀରେ ଆସିଥିବା ପ୍ରବଳ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାସ୍ରୋତରେ ଭାସି ଅନେକ ମୃତଦେହ ଭାରତର ବିହାର ଓ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ପହଞ୍ଚିଥିବା ଜଣାପଡ଼ିଛି।