କାଠମାଣ୍ଡୁ: ଗତ ଅଗଷ୍ଟ ୨୬ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନର ବିପର୍ଯ୍ୟୟରୁ ନେପାଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧୁରି ନଥିବା ବେଳେ, ପୁଣି ଥରେ ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୫ରୁ ୨୭ ତାରିଖ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ ପରେ ନେପାଳ ପର୍ଯ୍ୟଟନ ବୋର୍ଡ (NTB) ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରିଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରାଧିକରଣର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୬ର ଭୟଙ୍କର ବନ୍ୟାରେ ଏପର୍ଯ୍ୟନ୍ତ ୧,୪୫୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୬୩୬ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ମୋଟ ୫,୭୦୫ ଜଣ ନିଖୋଜ ଅଛନ୍ତି।ପୂର୍ବରୁ ଭୋଟେ କୋଶୀ ଏବଂ ତ୍ରିଶୂଳୀ ନଦୀ ଅବବାହିକାରେ ହୋଇଥିବା ବନ୍ୟାରେ ବହୁ ସଂଖ୍ୟାରେ ଭ୍ରମଣକାରୀ ପ୍ରାଣ ହରାଇଥିଲେ।

ନେପାଳର ଜଳ ଓ ପାଣିପାଗ ବିଭାଗ (DHM) ଅନୁଯାୟୀ ପୂର୍ବ କୋଶୀ, ଦକ୍ଷିଣ ମଧେଶ, ମଧ୍ୟ ବାଗମତୀ ଏବଂ ପଶ୍ଚିମ ସୁଦୂରପଶ୍ଚିମ ପ୍ରଦେଶରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ। ପଶ୍ଚିମ କର୍ଣ୍ଣାଳୀ, ଗଣ୍ଡକୀ ଏବଂ ଲୁମ୍ବିନୀ ପ୍ରଦେଶର ବିଭିନ୍ନ ଭାଗରେ ଘଡ଼ଘଡ଼ି, ବିଜୁଳି ଏବଂ ପ୍ରବଳ ପବନ ସହ ବର୍ଷା ସମ୍ଭାବନା ରହିଛି।

ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଦିଆଯାଇଥିବା ମୁଖ୍ୟ ପରାମର୍ଶଗୁଡ଼ିକ ହେଲା:

  • ଉଚ୍ଚ ପାହାଡ଼ିଆ ଅଞ୍ଚଳ: ନଦୀ ଅବବାହିକା ଏବଂ ଉଚ୍ଚ ପାର୍ବତ୍ୟ ଅଞ୍ଚଳକୁ ଯାତ୍ରା କରୁଥିବା ପର୍ଯ୍ୟଟକମାନେ ସତର୍କତା ଅବଲମ୍ବନ କରନ୍ତୁ, କାରଣ ପାଣିପାଗ ଦ୍ରୁତ ଗତିରେ ବଦଳିବା ସହ ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇପାରେ।
  • ଯାତ୍ରା ପୂର୍ବରୁ ଯାଞ୍ଚ: ଯାତ୍ରାରମ୍ଭ କରିବା ପୂର୍ବରୁ ରାସ୍ତା, ବିମାନ ସେବା ଏବଂ ଟ୍ରେକିଂ ରୁଟ୍‌ର ସାମ୍ପ୍ରତିକ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି।
  • ବିପଦପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ: ନଦୀ, ନାଳ, ଖସଡ଼ା ପାହାଡ଼ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳକୁ ଯାତ୍ରା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
  • ସାହସିକ କ୍ରୀଡ଼ା ସ୍ଥଗିତ: ପ୍ରତିକୂଳ ପାଣିପାଗ ସମୟରେ ଟ୍ରେକିଂ, ପର୍ବତାରୋହଣ ଏବଂ ଅନ୍ୟାନ୍ୟ ଆଉଟଡୋର ଆକ୍ଟିଭିଟି ବନ୍ଦ ରଖିବାକୁ କୁହାଯାଇଛି।

ପ୍ରଶାସନ, ନିରାପତ୍ତା ଏଜେନ୍ସି ଏବଂ ଟୁର ଅପରେଟରଙ୍କ ସୁରକ୍ଷା ନିର୍ଦ୍ଦେଶାବଳୀ ମାନି ସୁରକ୍ଷିତ ସ୍ଥାନରେ ରହିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି।