ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରର ବ୍ୟାଙ୍କ ‘ଆଇଡିବିଆଇ’ ର ପ୍ରାୟ ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି ନିଷ୍ପତ୍ତିକୁ ସୋସିଆଲ ମିଡିଆ ଏବଂ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଭିଯୋଗର ଜବାବ ଦେଇ ସେ ପୂର୍ବତନ କଂଗ୍ରେସ ସରକାରଗୁଡ଼ିକର ରାଜନୈତିକ ହସ୍ତକ୍ଷେପ ଯୋଗୁଁ ବ୍ୟାଙ୍କଗୁଡ଼ିକରେ ପ୍ରଚୁର ଅଣ-ନିଷ୍ପାଦିତ ସମ୍ପତ୍ତି ବୃଦ୍ଧି ପାଇଥିଲା ବୋଲି ସମାଲୋଚନା କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିନିବେଶ ବିରୋଧୀ ବକ୍ତବ୍ୟର ଜବାବ ଦେଇ ସୀତାରମଣ କହିଛନ୍ତି ଯେ, “କଂଗ୍ରେସ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ନିଜର ନିଜସ୍ୱ ସମ୍ପତ୍ତି ଭାବେ ବ୍ୟବହାର କରିଥିଲା ଏବଂ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଚାପ ପକାଇ ନିୟମକୁ ଆଖିବୁଜି ଋଣ ପ୍ରଦାନ କରିବାକୁ ବାଧ୍ୟ କରିଥିଲା।”
୧୯୭୬ ମସିହାରେ ସଞ୍ଜୟ ଗାନ୍ଧୀଙ୍କ ସହ ଜଡ଼ିତ ଏକ କମ୍ପାନୀକୁ ନିୟମ କୋହଳ କରି ଋଣ ନଦେବାରୁ ତତ୍କାଳୀନ ଏସବିଆଇ (SBI) ଅଧ୍ୟକ୍ଷ ଆର.କେ. ତାଲୱାରଙ୍କୁ ଇନ୍ଦିରା ଗାନ୍ଧୀ ସରକାର ପଦରୁ ହଟାଇ ଦେଇଥିଲେ। କିଙ୍ଗଫିସର, ଭିଡିଓକୋନ୍, ଓ୍ୱିନସମ୍ ଏବଂ ଏବିଜି ସିପ୍ୟାର୍ଡ ଭଳି ବଡ଼ ବ୍ୟବସାୟିକ ଗ୍ରୁପ୍କୁ ଚାପରେ ରଖି ଦିଆଯାଇଥିବା ଋଣ ଆଇଡିବିଆଇ ବ୍ୟାଙ୍କ ପାଇଁ ବୋଝ ପାଲଟିଥିଲା।
ଏନ୍ଡିଏ ସରକାର ଆସିବା ପରେ ପ୍ରାୟ ୨୫,୦୦୦ କୋଟି ଟଙ୍କାର ପୁନଃପୁଞ୍ଜିନିବେଶ କରି ଆଇଡିବିଆଇ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିଥିବା ଅର୍ଥମନ୍ତ୍ରୀ ଦାବି କରିଛନ୍ତି। ଆଇଡିବିଆଇ ବ୍ୟାଙ୍କର ପ୍ରାୟ ୬୦.୭୨% ଅଂଶଧନ କାନାଡାର ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍ ହୋଲ୍ଡିଂସକୁ ପ୍ରାୟ ୫୩,୦୦୦ କୋଟି ଟଙ୍କାରେ ବିକ୍ରି କରିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି।
କଂଗ୍ରେସ ସମୟରେ ‘ଫୋନ୍ବୁକ୍ ବ୍ୟାଙ୍କିଂ’ ଚାଲୁଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ନିୟମାନୁସାରେ ସହଜରେ ଋଣ ମିଳୁଛି ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି।




