ନୂଆଦିଲ୍ଲୀ: ₹୨,୦୦୦ରୁ ଅଧିକ ମୂଲ୍ୟର କିଛି UPI ମର୍ଚ୍ଚାଣ୍ଟ୍‌ ଟ୍ରାଞ୍ଜାକ୍ସନ୍‌ରେ ଲାଗିବାକୁ ଥିବା ୦.୪% Merchant Discount Rate (MDR)କୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି, ଏହା ଟିକସ, ସେସ୍‌ କିମ୍ବା ସରଚାର୍ଜ ନୁହେଁ ଏବଂ ଏଥିରୁ ଆଦାୟ ହେଉଥିବା ଅର୍ଥ ସରକାରୀ ତହବିଲକୁ ଯିବ ନାହିଁ।

ଗ୍ରାହକଙ୍କ ଉପରେ ପଡ଼ିବନି MDR

ନୂଆ ବ୍ୟବସ୍ଥା ଅନୁସାରେ ନିର୍ଦ୍ଦିଷ୍ଟ Person-to-Merchant (P2M) UPI କାରବାରରେ ₹୨,୦୦୦ରୁ ଅଧିକ ରାଶି ଉପରେ ୦.୪% MDR ଲାଗିବ। ଏହି ଶୁଳ୍କ ଗ୍ରାହକଙ୍କ ବିଲ୍‌ରେ ଅଲଗା ଭାବେ ଯୋଡ଼ାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

କାହା ପାଖକୁ ଯିବ ଟଙ୍କା?

MDRରୁ ଆସୁଥିବା ଅର୍ଥ ସରକାରଙ୍କ ରାଜକୋଷକୁ ଯିବ ନାହିଁ। ଏହା UPI ପେମେଣ୍ଟ୍‌ ବ୍ୟବସ୍ଥାରେ ଜଡ଼ିତ NPCI, ବ୍ୟାଙ୍କ, ପେମେଣ୍ଟ ସର୍ଭିସ୍‌ ପ୍ରୋଭାଇଡର୍‌, POS ପ୍ରୋଭାଇଡର୍‌ ଓ ମର୍ଚ୍ଚାଣ୍ଟ ବ୍ୟାଙ୍କ ଭଳି ଅଂଶୀଦାରଙ୍କ ମଧ୍ୟରେ ବଣ୍ଟନ ହେବ।

କେଉଁ UPI କାରବାର ରହିବ ମାଗଣା?

Person-to-Person (P2P) ସମସ୍ତ UPI କାରବାର ପୂର୍ବଭଳି ମାଗଣା ରହିବ। ସେହିପରି ₹୨,୦୦୦ ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ୍‌ ପେମେଣ୍ଟ୍‌ରେ MDR ଲାଗିବ ନାହିଁ। ସରକାରଙ୍କ ତଥ୍ୟ ଅନୁସାରେ ପ୍ରାୟ ୯୬% ମର୍ଚ୍ଚାଣ୍ଟ୍‌ UPI କାରବାର ଏହି ପରିବର୍ତ୍ତନରୁ ପ୍ରଭାବିତ ହେବ ନାହିଁ।

ନୂଆ MDR ବ୍ୟବସ୍ଥା ଅକ୍ଟୋବର ୧୫, ୨୦୨୬ରୁ ଲାଗୁ ହେବ। ₹୭୫,୦୦୦ କିମ୍ବା ତା’ଠାରୁ ଅଧିକ ଯୋଗ୍ୟ ମର୍ଚ୍ଚାଣ୍ଟ୍‌ ଟ୍ରାଞ୍ଜାକ୍ସନ୍‌ ପାଇଁ MDR ସର୍ବାଧିକ ₹୩୦୦ରେ ସୀମିତ ରହିବ।