ନ୍ୟୁୟର୍କ: ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି। ଭାରତ ପାଇଁ ଅତି ଜରୁରୀ ପେଟ୍ରୋଲିୟମ୍ ଧରି ଆସୁଥିବା ଏକ ବିଶାଳ ତୈଳ ବାହୀ ଜାହାଜ ‘ନିସୋସ୍ କେରୋସ୍’ (Nissos Keros) ବିବାଦୀୟ ହରମୁଜ ପ୍ରଣାଳୀ (Strait of Hormuz) ଅତିକ୍ରମ କରିଛି। ସାମୁଦ୍ରିକ ଯାତାୟାତ ଉପରେ ନଜର ରଖୁଥିବା ବିଭିନ୍ନ ୱେବସାଇଟ୍‌ ସୂତ୍ରରୁ ଏହି ସୂଚନା ମିଳିଛି। ମାର୍ଶଲ ଆଇଲ୍ୟାଣ୍ଡ ପତାକା ଧାରୀ ଏହି ଜାହାଜଟି ଜୁନ୍ ୩ ତାରିଖ ସୁଦ୍ଧା ବିଶାଖାପାଟଣା ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଇରାନର ସରକାରୀ ଗଣମାଧ୍ୟମ ‘ଇରନା’ (IRNA) ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ (IRGC) ନୌସେନା ନିସୋସ୍ କେରୋସ୍‌ ସମେତ ୨୩ଟି ବାଣିଜ୍ୟିକ ଜାହାଜକୁ ହରମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେଇଛି। ତେବେ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ନିକଟରେ ଇରାନ ଏହି ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଶୁଳ୍କ ଲଗାଇବା ପାଇଁ ‘ପର୍ସିଆନ ଗଲ୍ଫ ଷ୍ଟ୍ରେଟ ଅଥରିଟି’ ଗଠନ କରିଛି। ମାତ୍ର ଜାତିସଂଘ ନିୟମ ଅନୁସାରେ ଆନ୍ତର୍ଜାତୀୟ ଜଳପଥରେ ଏଭଳି ଫି’ ଆଦାୟ କରିବା ସମ୍ପୂର୍ଣ୍ଣ ବେଆଇନ।

ଚଳିତ ବର୍ଷ ଫେବୃଆରୀରେ ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି, ଯାହା ବିଶ୍ୱର ୨୦ ପ୍ରତିଶତ ଗ୍ୟାସ୍ ଓ ତେଲ ଯୋଗାଣକୁ ପ୍ରଭାବିତ କରିଛି। ଏହି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁକ୍ତ ସାମୁଦ୍ରିକ ଯାତାୟାତ ପାଇଁ ଦାବି କରିବା ସହ ଇରାନକୁ ସହଯୋଗ କଲେ ଓମାନ ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ୩୩୩ ମିଟର ଲମ୍ବ ବିଶିଷ୍ଟ ଏହି ହ୍ୟୁଣ୍ଡାଇ-ନିର୍ମିତ ଜାହାଜରେ ପ୍ରାୟ ୩ ଲକ୍ଷ ଟନ୍‌ରୁ ଅଧିକ ପେଟ୍ରୋଲିୟମ ରହିଛି। ବର୍ତ୍ତମାନ ଏହା ଭାରତର ପଶ୍ଚିମ ଉପକୂଳ ନିକଟସ୍ଥ ଉତ୍ତର ଆରବ ସାଗରରେ ଗତି କରୁଛି।