ଅନୁଗୁଳ:ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ୧୪୯ ନମ୍ବର ଜାତୀୟ ରାଜପଥର ସମାକୋଇ ବ୍ରିଜ୍ ନିକଟସ୍ଥ ବୁରୁକୁନା ଛକଠାରେ ଏକ ଅଜ୍ଞାତ ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଖବର ଅନୁଯାୟୀ, ଦୁଇ ଜଣ ବ୍ୟକ୍ତି ଏକ ମୋଟରସାଇକେଲରେ ଯାଉଥିବା ସମୟରେ ଏକ ଅଜ୍ଞାତ ଗାଡ଼ି ସେମାନଙ୍କୁ ସାମ୍ନାରୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଦୁର୍ଘଟଣା ପରେ ବାଇକରେ ହଠାତ ନିଆଁ ଲାଗି ଯାଇଥିଲା। ବାଇକ୍ ଚାଳକ ଜଣକ ନିଆଁ ସଂସ୍ପର୍ଶରେ ଆସି ବାହାରି ନପାରି ଘଟଣାସ୍ଥଳରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁର ପ୍ରକୋପ ଏତେ ଥିଲା ଯେ ମୋଟରସାଇକେଲଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।
ସେହିପରି ବାଇକ୍ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ସାମଲ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଏହି ‘ହିଟ୍-ଆଣ୍ଡ-ରନ୍’ ମାମଲାରେ ସଂପୃକ୍ତ ଅଜ୍ଞାତ ଗାଡ଼ିର ସନ୍ଧାନ ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି।




