ଇସଲାମାବାଦ: ଇରାନ ସହ ସୀମା ବନ୍ଦ ହେବା ପରେ ପାକିସ୍ତାନରେ ରୋଷେଇ ଗ୍ୟାସ୍ (LPG) ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ୧୨ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଦର ୪,୫୦୦ ପାକିସ୍ତାନୀ ଟଙ୍କାରୁ ବଢ଼ି କେତେକ ଅଞ୍ଚଳରେ ୮,୨୦୦ ଟଙ୍କାରେ ପହଞ୍ଚିଛି। ଗ୍ୟାସ୍ ଅଭାବ ସହ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଘରୋଇ ବଜେଟ୍ ଉପରେ ଚାପ ବଢ଼ିଛି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୭ରେ ପାକିସ୍ତାନ ଓ ଇରାନ ମଧ୍ୟରେ ଥିବା ଗବ୍ଦ-ରିମଦାନ ଏବଂ ତାଫ୍ତାନ ସୀମା ପାରାପାର ପଥ ବନ୍ଦ କରାଯାଇଥିଲା। ପାକିସ୍ତାନର ବାଲୁଚିସ୍ତାନ ସରକାର ସୁରକ୍ଷା ଚିନ୍ତା ଓ ଚୋରାଚାଲାଣ ରୋକିବାକୁ ଏହାର କାରଣ ଦର୍ଶାଇଥିବା ବେଳେ ଇରାନ ପକ୍ଷରୁ ବୈଷୟିକ ସମସ୍ୟା କଥା କୁହାଯାଇଛି। ଏହି ବନ୍ଦ ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଟ୍ୟାଙ୍କର ଓ ମାଲବାହୀ ଗାଡ଼ି ଅଟକି ରହିଛି।
ପାକିସ୍ତାନ LPG ଆସୋସିଏସନ୍ ଅନୁଯାୟୀ, ଦେଶକୁ ଇରାନରୁ ଦୈନିକ ପ୍ରାୟ ୭ ହଜାର ମେଟ୍ରିକ୍ ଟନ୍ LPG ଆସିଥାଏ। ଏଥିରୁ ୪ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ଗ୍ୟାସ୍ କେବଳ ଗବ୍ଦ-ରିମଦାନ ସୀମାପଥ ଦେଇ ଆସୁଥିବା କୁହାଯାଉଛି। ସୀମା ବନ୍ଦ ହେବା ପରେ ଏହି ଯୋଗାଣ ଠପ୍ ହୋଇଯାଇଛି। ଫଳରେ ବଜାରରେ ଗ୍ୟାସ୍ ଅଭାବ ଦେଖାଦେବା ସହ ଦର ଦ୍ରୁତ ଗତିରେ ବଢ଼ିଛି।
ପାକିସ୍ତାନ LPG ଡିଷ୍ଟ୍ରିବ୍ୟୁସନ୍ ଆସୋସିଏସନ୍ର ଅଧ୍ୟକ୍ଷ ଇରଫାନ୍ ଖୋଖରଙ୍କ ସୂଚନା ଅନୁସାରେ, ବାଲୁଚିସ୍ତାନରେ ୧୨ କିଲୋ ସିଲିଣ୍ଡର ଦର ପ୍ରାୟ ୭ ହଜାର ପାକିସ୍ତାନୀ ଟଙ୍କା ରହିଥିବା ବେଳେ ଲାହୋରରେ ଏହା ୭,୫୦୦ ଏବଂ ସ୍କାର୍ଦୁରେ ୮,୨୦୦ ଟଙ୍କାରେ ପହଞ୍ଚିଛି। କେତେକ ଅଞ୍ଚଳରେ ପ୍ରତି କିଲୋଗ୍ରାମ୍ LPG ଦର ୫୦୦ରୁ ୬୦୦ ଟଙ୍କା ହୋଇଥିବା ମଧ୍ୟ ଖବର ମିଳିଛି।
ପାକିସ୍ତାନର ବାର୍ଷିକ LPG ଆବଶ୍ୟକତା ପ୍ରାୟ ୨୦ ଲକ୍ଷ ମେଟ୍ରିକ୍ ଟନ୍। ଏହାର ପ୍ରାୟ ୭୦ ପ୍ରତିଶତ ଆମଦାନି ଉପରେ ନିର୍ଭରଶୀଳ। ଇରାନରୁ ସ୍ଥଳପଥରେ ଆସୁଥିବା ଗ୍ୟାସ୍ ତୁଳନାମୂଳକ ଶସ୍ତା ହୋଇଥିବାରୁ ଏହା ଦେଶର ଏକ ପ୍ରମୁଖ ଯୋଗାଣ ଉତ୍ସ ଥିଲା। ଏବେ ବିକଳ୍ପ ଉତ୍ସରୁ ଗ୍ୟାସ୍ ଆଣିବାକୁ ଅଧିକ ଖର୍ଚ୍ଚ ଓ ସମୟ ଲାଗିପାରେ।
ଗବ୍ଦ-ରିମଦାନ ସୀମାପଥକୁ ଆଳୁ ଓ କଦଳୀ ଭଳି କେତେକ ନଷ୍ଟଶୀଳ ସାମଗ୍ରୀର ରପ୍ତାନି ପାଇଁ ପୁନଃ ଖୋଲାଯାଇଥିଲେ ମଧ୍ୟ LPG ଆମଦାନି ସ୍ୱାଭାବିକ ହୋଇନାହିଁ। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ପୁନଃ ଆରମ୍ଭ କରିବା ନେଇ ଆଲୋଚନା ଚାଲିଥିବା ରିପୋର୍ଟରେ କୁହାଯାଇଛି। ଶୀତ ଋତୁ ପାଖେଇ ଆସୁଥିବାରୁ ଗ୍ୟାସ୍ର ଚାହିଦା ବଢ଼ିବା ସହ ଯୋଗାଣ ଶୀଘ୍ର ସ୍ୱାଭାବିକ ନହେଲେ ସଙ୍କଟ ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।




