ନୂଆଦିଲ୍ଲୀ: ଜୁଲାଇ ୨୦ରେ ଯନ୍ତରମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ଗୃହ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଛି। ଛାତ୍ରଙ୍କ ଉପରେ ପୁଲିସର ଲାଠିଚାର୍ଜ ଓ ପେଲେଟ୍‌ ଗନ୍‌ ବ୍ୟବହାର ଅଭିଯୋଗ ଉପରେ ଆଲୋଚନା ଦାବି କରି ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗ ଉଠାଇଥିଲେ।

ବୈଠକରେ କଂଗ୍ରେସ ସାଂସଦ ଅଜୟ ମାକେନ ଏକ ଚିଠି ଦାଖଲ କରି ଯନ୍ତରମନ୍ତର ଆନ୍ଦୋଳନ ସମୟରେ ଛାତ୍ରଙ୍କ ବିରୋଧରେ ଲାଠିଚାର୍ଜ ଓ ପେଲେଟ୍‌ ଗନ୍‌ ବ୍ୟବହାର ଅଭିଯୋଗ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।

ବିରୋଧୀ ସାଂସଦମାନେ ଦାବି କରିଥିଲେ ଯେ, ଆନ୍ଦୋଳନ ସମୟରେ ପୁଲିସର ଲାଠିଚାର୍ଜରେ ଅନେକ ଛାତ୍ର ଆହତ ହୋଇଛନ୍ତି। ତେଣୁ ଘଟଣାକୁ ‘ପିଲାଙ୍କ ବିରୋଧରେ ଅପରାଧ’ ଭାବେ ବିଚାର କରାଯିବା ଉଚିତ।

ତେବେ କମିଟି ଅଧ୍ୟକ୍ଷ ରାଧାମୋହନ ଦାସ ଅଗ୍ରୱାଲ ବିରୋଧୀ ସାଂସଦଙ୍କ ଦାବିକୁ ଖାରଜ କରିଥିଲେ। ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନର ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ସେ ଦର୍ଶାଇଥିଲେ।

ଏହାକୁ ନେଇ ବୈଠକରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଆଲୋଚନାକୁ ତାଲିକାଭୁକ୍ତ ଏଜେଣ୍ଡା ମଧ୍ୟରେ ସୀମିତ ରଖିବାକୁ ସଦସ୍ୟମାନଙ୍କୁ କହିଥିଲେ।