ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ୨୪ତମ କିସ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଯୋଜନାର ନିର୍ଦ୍ଦିଷ୍ଟ କିସ୍ତି ଚକ୍ର ଅନୁସାରେ ଅଗଷ୍ଟ-ନଭେମ୍ବର ଅବଧିରେ ଏହି କିସ୍ତି ଆସିବା କଥା। ତେଣୁ ଅକ୍ଟୋବରରେ, ଦୀପାବଳି ପୂର୍ବରୁ କିମ୍ବା ଆଖପାଖ ସମୟରେ ଟଙ୍କା ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨୪ତମ କିସ୍ତିର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି।
ପ୍ରତି କିସ୍ତିରେ ମିଳେ ₹୨,୦୦୦
PM-KISAN ଯୋଜନାରେ ଯୋଗ୍ୟ ଚାଷୀ ପରିବାରଙ୍କୁ ବର୍ଷକୁ ମୋଟ ₹୬,୦୦୦ ଆର୍ଥିକ ସହାୟତା ଦିଆଯାଏ। ଏହି ଟଙ୍କା ₹୨,୦୦୦ ଲେଖାଏଁ ତିନିଟି କିସ୍ତିରେ ଆଧାର-ସଂଯୁକ୍ତ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପଠାଯାଏ।
୨୦ ଜୁନ୍ ୨୦୨୬ରେ ୨୩ତମ କିସ୍ତି ଜାରି ହୋଇଥିଲା। ସରକାରୀ PM-KISAN ପୋର୍ଟାଲ୍ରେ ଏହାର ତଥ୍ୟ ଉପଲବ୍ଧ ରହିଛି।
e-KYC ନଥିଲେ ଅଟକିପାରେ ଟଙ୍କା
PM-KISAN ପୋର୍ଟାଲ୍ ଅନୁସାରେ ପଞ୍ଜୀକୃତ ଚାଷୀଙ୍କ ପାଇଁ e-KYC ବାଧ୍ୟତାମୂଳକ। ଏହା ସହ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା ମଧ୍ୟ ଆବଶ୍ୟକ। ଆଧାର ସିଡିଂ ନଥିଲେ DBT ମାଧ୍ୟମରେ ପେମେଣ୍ଟ ପ୍ରକ୍ରିୟାକରଣ ହୋଇପାରେ ନାହିଁ।
କେନ୍ଦ୍ର ସରକାରଙ୍କ ଫେବ୍ରୁଆରୀ ୨୦୨୬ର ତଥ୍ୟ ଅନୁସାରେ ଓଡ଼ିଶାର ୭୩,୫୩୨ ଚାଷୀଙ୍କ ବ୍ୟାଙ୍କ ଖାତାରେ ଆଧାର ସିଡିଂ ବାକି ଥିଲା। ତେଣୁ ଆଗାମୀ କିସ୍ତି ପୂର୍ବରୁ ଚାଷୀମାନେ ନିଜ ବ୍ୟାଙ୍କ ଖାତା ଓ ଆଧାର ସଂଯୋଗ ଯାଞ୍ଚ କରିବା ଆବଶ୍ୟକ।
କେମିତି ଯାଞ୍ଚ କରିବେ ନିଜ ଷ୍ଟାଟସ୍?
ଚାଷୀମାନେ PM-KISANର ଅଧିକାରିକ ପୋର୍ଟାଲ୍ରେ ‘Know Your Status’ ବିକଳ୍ପ ମାଧ୍ୟମରେ ନିଜର ଯୋଗ୍ୟତା, କିସ୍ତି ଓ ପେମେଣ୍ଟ ଷ୍ଟାଟସ୍ ଯାଞ୍ଚ କରିପାରିବେ। ନିକଟସ୍ଥ CSCରେ ମଧ୍ୟ ଏହି ସୂଚନା ମିଳିପାରିବ।
ଏଥିସହ PM-KISAN ପୋର୍ଟାଲ୍ରେ Kisan e-Mitra ସୁବିଧା ମଧ୍ୟ ରହିଛି। ଏହା ଓଡ଼ିଆ ସମେତ ୧୧ଟି ଭାଷାରେ ଚାଷୀଙ୍କୁ ଯୋଜନା, ଷ୍ଟାଟସ୍ ଓ ପେମେଣ୍ଟ ସମ୍ପର୍କିତ ସୂଚନା ଦେଉଛି।




